କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବ୍ୟବହୃତ ଏକ ହେଲିକପ୍ଟର, ଯାହା କେନ୍ଦ୍ରାପଡା ଅଟୋନମସ୍ କଲେଜ ପଡିଆରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ମାସାଧିକ ସମୟ ଧରି ଅଟକି ରହିଥିଲା, ବୁଧବାର ତାକୁ ଏକ ଟ୍ରକ ଯୋଗେ ମୁମ୍ବାଇକୁ ପଠାଯାଇଛି। ମାସେ ୭ ଦିନ ପରେ କେନ୍ଦ୍ରାପଡ଼ାରୁ ନିଆଗଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର ।
ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମଙ୍କ ତତ୍ତ୍ଵାବଧାନରେ ହେଲିକେପ୍ଟରକୁ ମରାମତି ପାଇଁ ମୁମ୍ବାଇକୁ ନିଆଯାଉଛି। ରିପୋର୍ଟ ଅନୁଯାୟୀ, ବିମାନ ଇଞ୍ଜିନିୟରମାନଙ୍କର ଏକ ଦଳ ହେଲିକପ୍ଟରର ବ୍ଲେଡଗୁଡ଼ିକୁ ଭାଙ୍ଗି ଏକ JCB ମେସିନ୍ ବ୍ୟବହାର କରି ୮୦୦ କିଲୋମିଟର ରାସ୍ତା ଯାତ୍ରା ପାଇଁ ଏହାକୁ ଟ୍ରକରେ ଲୋଡ୍ କରିଛନ୍ତି। ଏହା ମୁମ୍ବାଇ ପହଞ୍ଚିବାକୁ ପ୍ରାୟ ୧୦ ଦିନ ସମୟ ଲାଗିବ। “ଏହି ହେଲିକପ୍ଟରଟି ଜର୍ମାନ-ଭିତ୍ତିକ ଏୟାରବସ୍ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା। ହେଲିକପ୍ଟର ଏବଂ ପାଇଲଟଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଆମେ ଏହାକୁ ସଡ଼କ ପଥରେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ। ମୁମ୍ବାଇରେ ପହଞ୍ଚିବା ପରେ, ହେଲିକପ୍ଟରଟି ମରାମତି କରାଯିବ,” ମୁମ୍ବାଇସ୍ଥିତ ହେଲିଗୋ ଚାର୍ଟର୍ସ ପ୍ରାଇଭେଟ୍ ଲିମିଟେଡର ଅପରେସନ୍ ମ୍ୟାନେଜର କାର୍ତ୍ତିକ ଚନ୍ଦ୍ର ଦତ୍ତ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।
ଜୁନ ୯ ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଯାଇଥିଲା ଏହି ହେଲିକପ୍ଟର। କଲେଜ ପଡିଆରେ ହେଲିକପ୍ଟରରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ କାର ଯୋଗ ଯାଇ ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରି ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ। ପରେ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରିଥିଲେ। ସେହିସମୟରେ ପ୍ରବଳ ବର୍ଷା ଘଡଘଡି ହେବାରୁ ହେଲିକପ୍ଟର ଅଚଳ ହୋଇଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ଫେରିଥିଲେ। ସେବେଠାରୁ ହେଲିକପ୍ଟର କଲେଜ ପଡିଆରେ ଅଟକି ରହିଥିଲା। ବଜ୍ରପାତରେ ଅଚଳ ହେଲିକପ୍ଟରକୁ ଟେକ୍ନିକାଲ ଟିମ ଆସି ଯାଞ୍ଚ କରିବା ପରେ ଗତକାଲି ହେଲିକପ୍ଟରରେ ପଙ୍ଖା ଖୋଲାଯାଇ କ୍ରେନ ହାଇଡ୍ରା ସାହାଯ୍ୟରେ ଟଲି ଟ୍ରକରେ ଲୋଡ ହୋଇ ମୁମ୍ବାଇ ଅଭିମୁଖେ ବାହାରିଛି।
Comments are closed.