Latest Odisha News

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଜିସି ମିଶ୍ର ଏଣ୍ଡ୍ ସନ୍ସକୁ ମିଳିଲା ଗୋରୁମହିଷାଣୀ ଲୁହାପଥର ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣି ଆବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ମୟୂରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣି ହସ୍ତଗତ କରିଛି ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ । ଏହି ଲୁହାପଥର ଖଣିକୁ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିଛି ଏହି କମ୍ପାନୀ ।

ଗୋରୁମହିଷାଣୀ ଲୁହାପଥର ଖଣିରେ ଆନୁମାନିକ ୧୭.୬୦ ମିଲିୟନ ଟନର ଖଣିଜ ପଥର ଗଚ୍ଛିତ ରହିଛି ଏବଂ ଏଥିଲାଗି ସମୁଦାୟ ୧୧ଟି କମ୍ପାନୀ ବିଡ଼ର୍ ରହିଥିଲେ ।

ଓଡ଼ିଶା ସରକାର ଏହି ଖଣି ଲାଗି ପୂର୍ବରୁ ୬୬.୨୫ ପ୍ରତିଶତ ଫ୍ଲୋର ଦର ରଖିଥିବାର ସୂଚନା ମିଳିଛି ।

ଓଡ଼ିଶାର ୧୯ଟି ଖଣି ମଧ୍ୟରୁ ଏହା ୧୧ତମ ଖଣି ଭାବେ ନିଲାମ ଅନୁଷ୍ଠିତ ହୋଇଛି ।

ଋବିବାର ଦିନ ଗୋଆର ଫୋର୍ମେଣ୍ଟୋ ଇଣ୍ଡଷ୍ଟ୍ରିଆଲ୍ ପ୍ରା ଲିଃ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣି ନିଲାମରେ ହସ୍ତଗତ କରିଥିଲା । ଏହି ଖଣିକୁ ଫର୍ମେଣ୍ଟୋ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରିଥିଲା ।

ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

କେନ୍ଦୁଝର ଜିଲ୍ଲାରେ ଥିବା ଝିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣିକୁ ଶ୍ୟାମ ଓର୍ ୧୩୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରି ହାସଲ କରିପାରିଛି ।

ବଳଦା ଲୁହାପଥର ଖଣିକୁ ଫେବୃଆରୀ ୪ ତାରିଖ ଦିନ ସେରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ନେଇଥିବା ବେଳେ ଫେବୃଆରୀ ୩ ତାରିଖ ଦିନ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲର୍ ମିତ୍ତଲ୍ ଇଣ୍ଡିଆ ପ୍ରାଇଭେଟ୍ କମ୍ପାନୀ ଅକ୍ତିଆର କରିପାରିଛି ।

Leave A Reply

Your email address will not be published.