Latest Odisha News

BREAKING NEWS

ଶ୍ରମମନ୍ତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ମାମଲା, ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ; ଯିଏ ଦୋଷୀ, ସେ ଦଣ୍ଡ ପାଇବ

ଭୁବନେଶ୍ୱର : ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ନିର୍ଯାତନା ପ୍ରସଙ୍ଗରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମହିଳା ଥାନାରେ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଯିଏ ଦୋଷୀ ସେ ଦଣ୍ଡ ପାଇବ । କାହା ନାଁରେ କିଛି ଅଭିଯୋଗ ଆସିଲେ ପୋଲିସ ତତ୍ପର ହୋଇ ପୂର୍ବରୁ କାମ କରିଛି ଓ ଆଗାମୀ ଦିନରେ ମଧ୍ୟ ପୋଲିସ ତାର କାର୍ଯ୍ୟ ନିଶ୍ଚିତ ତୁଲାଇବ ।

ସେପଟେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମହିଳାଙ୍କୁ ବଳାତ୍କାର ଅଭିଯୋଗ ମାମଲାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଶନିବାର ମାମଲା ଦାଏର କରିଛନ୍ତି ‘ନ୍ୟାୟ ପାଇଁ ଲଢେଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଏହି ସମ୍ବେଦନଶୀଳ ମାମଲାରେ ମାନ୍ୟବର କମିଶନଙ୍କ ଟିମ ତଦନ୍ତ ଏବଂ ଦୋଷୀ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସୁବ୍ରତ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ପୀଡିତା ମହିଳା ଜଣକ ଭୁବନେଶ୍ୱର ମହିଳା ଥାନାରେ ଗତ ୧୩ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ, ପୋଲିସ୍ ଟିମ୍ ମହିଳାଙ୍କୁ ପଚରାଉଚୁରା କରିବା ସହ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଡାକ୍ତରୀ ପରୀକ୍ଷା କରିଥିଲା । ହସ୍ପିଟାଲରୁ ବାହରି ସେତେବେଳେ ଅଭିଯୋଗକାରିଣୀ ମହିଳା ଗଣମାଧ୍ୟମକୁ କହିଥିଲେ, ମୁଁ ମାନସିକ ଚାପରେ ଅଛି କିନ୍ତୁ ମୁଁ ନିଶ୍ଚିତ ନ୍ୟାୟ ପାଇବି ବୋଲି ଆଶା ଅଛି । ପୋଲିସ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ମୋର ଭରସା ଥିବା ସେ କହିଛନ୍ତି ।

ଅନ୍ୟପଟେ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଆଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କର ବହିଷ୍କାର ଦାବି କରିଛି ବିଜେପି। ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ରହିଛି।
ପୀଡିତା ମହିଳା ସିଧାସଳଖ ଶ୍ରମ ମନ୍ତ୍ରୀଙ୍କ ନାଁ ନେଇ ଅଭିଯୋଗ କରିଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ନେଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

Leave A Reply

Your email address will not be published.