Latest Odisha News

ସରକାରଙ୍କ ବଡ଼ ଘୋଷଣା: ଆସିପାରେ ନୁଆ ଆଇନ୍, ପ୍ରେମ ବିବାହ ପାଇଁ ପରିବାରର ସହମତି ଅନିବାର୍ଯ୍ୟ

ଅହମ୍ମଦାବାଦ: ସରକାରଙ୍କ ବଡ଼ ଘୋଷଣା । ପ୍ରେମ ବିବାହ ପାଇଁ ପରିବାରର ସହମତି ଅନିବାର୍ଯ୍ୟ ନେଇ ଲାଗୁ ହୋଇପାରେ ନୁଆ ଆଇନ୍ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ଅନିବାର୍ଯ୍ୟ କରିବା ଲାଗି ଆଇନ ଆଣିବାକୁ ଗୁଜୁରାଟ ସରକାର ଯୋଜନା କରୁଛନ୍ତି । ମେହସଣା ସହରରେ ଗତ ରବିବାର ଅନୁଷ୍ଠିତ ପଟିଦାର ସମୁଦାୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରେମ ବିବାହ କ୍ଷେତ୍ରରେ ପିତାମାତାଙ୍କ ସହମତି ସୁନିଶ୍ଚିତ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ବିଶେଷକରି ପଟିଦାର ସମୁଦାୟ ଏହି ଦାବି କରୁଛନ୍ତି । ଯଦି ସମ୍ବିଧାନରେ ଏଭଳି ସ୍ଥାନ ଥିବ ତେବେ ସରକାର ଏଦିଗରେ ସର୍ବୋତ୍ତମ ବ୍ୟବସ୍ଥା ନିଶ୍ଚିତ ଲାଗୁ କରିବେ ।

ସେପଟେ ଯଦି ସରକାର ଏନେଇ କୌଣସି ବିଧେୟକ ବିଧାନସଭାରେ ଆଣିବେ, ତେବେ ସେ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲା । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିବାହ ପାଇଁ ପୁଅଝିଅମାନେ ଫେରାର ହେଇଯାଇଥିବାର ଅନେକ ଘଟଣା ବାବଦରେ ଅଧ୍ୟୟନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଅବଗତ କରାଇଥିଲେ ।

Comments are closed.