Latest Odisha News

ଚୁଇଁଗମ୍‌ରେ ସଜ୍ଜାଯାଇଛି କାନ୍ଥ, ପ୍ରେମକୁ ଅମର କରିବା ପାଇଁ ଚୁଇଁଗମ୍ ଲଗାଉଛନ୍ତି ପ୍ରେମୀଯୁଗଳ

ୱାଶିଂଟନ: ସାଧାରଣତଃ ଅନେକ ଲୋକ ଚୁଇଁଗମ୍ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସେମାନେ ଖାଇସାରିବା ପରେ କେହି ତାକୁ ଠିକ୍ ଭାବେ ନ ଫୋପାଡ଼ି ଏଠି ସେଠି ଫିଙ୍ଗନ୍ତି । ଆଉ କିଛି ଲୋକ ତାକୁ ଲୁଚାଇ କୌଣସି କାନ୍ଥବାଡ଼ରେ ମଧ୍ୟ ଲଗାଇ ଦିଅନ୍ତି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହାକୁ କାଗଜରେ ଗୁଡ଼ାଇ ଡଷ୍ଟବିନରେ ପକାଇଥାନ୍ତି । କିନ୍ତୁ ଆମେରିକାରେ ଏକ କାନ୍ଥ ଅଛି, ଯେଉଁଠାରେ ଲୋକେ ଲୁଚାଇକି ନୁହେଁ ଖୋଲାଖୋଲି ଭାବେ ଚୁଇଁଗମ୍ ଲଗାଇଥାନ୍ତି । ବର୍ତ୍ତମାନ ଏହି କାନ୍ଥ ଚୁଇଙ୍ଗମ୍‌ରେ ସଜାଯାଇଛି । ଏବେ ପ୍ରେମୀ ଯୁଗଳ ସେମାନଙ୍କ ପ୍ରେମକୁ ଅମର କରିବା ପାଇଁ ଏଠାରେ ଚୁଇଁଗମ୍ ଲଗାଉଛନ୍ତି ।

ୱାଶିଂଟନ୍‌ର ସିଆଟେଲରେ ରହିଛି ଏକ ଚୁଇଁଗମ୍ କାନ୍ଥ । ଏହା ‘ୱାଲ୍ ଅଫ୍ ଗମ୍‌’ ବା ‘ଗମ୍ ୱାଲ୍‌’ ନାମରେ ବେଶ୍ ପରିଚିତ । ଏହି କାନ୍ଥରେ ହଜାର ହଜାର ଚୁଇଁଗମ୍ ଲଗାଯାଇଛିି । ଏହାକୁ ଲୋକେ ଚୋବାଇବା ପରେ କାନ୍ଥରେ ଲଗାଇଥାନ୍ତି । ଏହି କାନ୍ଥର ଉଚ୍ଚତା ୮ ଫୁଟ ଏବଂ ଏହାର ଲମ୍ବ ୫୦ ଫୁଟ ରହିଛି । ଏହି କାନ୍ଥଟି ମାର୍କେଟ ଥିଏଟର ନିକଟରେ ରହିଛି । ୨୦୦୯ ମସିହାରେ ଏହାକୁ ବିଶ୍ୱର ଏକ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଲା ।

୧୯୯୩ ମସିହାରୁ ଏହି କାନ୍ଥରେ ଚୁଇଁଗମ୍ ଲଗାଇବା ଆରମ୍ଭ ହୋଇଥିଲା । ଥିଏଟର ଭିତରକୁ ଯିବା ପାଇଁ ଟିକେଟ୍‌ଧାରୀମାନେ ଧାଡିରେ ଠିଆ ହୋଇ ବହୁ ସମୟ ଅପେକ୍ଷା କରୁଥିଲେ । ଅଧିକ ସମୟ ଅପେକ୍ଷା କରିବା ସହ ସେମାନେ ସେଠାରେ ଚୁଇଁଗମ୍ ଲଗାଇ ଦେଉଥିଲେ । ପରେ ଅଧିକାଂଶ ଲୋକ ଏଠାରେ ଚୁଇଁଗମ ଲଗାଇଲେ । ପରେ କାନ୍ଥଟି ଚୁଇଁଗମ୍‌ରେ ଭର୍ତ୍ତି ହୋଇଗଲା । ଏହି କାନ୍ଥର ଏକ ଦୃଶ୍ୟ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜେନିଫର୍ ଆନିଷ୍ଟନ୍‌ଙ୍କ ଫିଲ୍ମ ‘ଲଭ୍ ହାପେନ୍ସ’ରେ ପ୍ରଦର୍ଶିତ ହୋଇଥିଲା । ଏଠାରେ ଅଭିନେତ୍ରୀ ଚୁଇଁଗମ୍ ଲଗାଉଥିବା ନଜର ଆସିଥିଲେ । ସେବେଠାରୁ ହଜାର ହଜାର ଲୋକ ଏଠାରେ ଚୁଇଁଗମ୍ ଲଗାଇବାକୁ ଲାଗିଲେ ।

ପରେ ଏହି କାନ୍ଥଟି ବେଶ୍ ପ୍ରସିଦ୍ଧ ହୋଇଗଲା । ଏଠାରେ ଏତେ ପରିମାଣର ଚୁଇଁଗମ୍ ଲଗାଯାଇଛି ଯେ, କାନ୍ଥର ଇଟା ମଧ୍ୟ ଦେଖାଯାଉ ନାହିଁ । ୨୦୧୫ ମସିହାରେ କାନ୍ଥକୁ ସମ୍ପୂର୍ଣ୍ଣ ଭାବେ ସଫା କରାଯାଇଥିଲା । ଶ୍ରମିକମାନେ ୧ ଟନ୍‌ରୁ ଅଧିକ ଚୁଇଁଗମ୍ ଏଠାରୁ ବାହାର କରିଥିଲେ । ହେଲେ ପୁଣି ଲୋକେ ଏଠାରେ ଚୁଇଁଗମ୍ ଲଗାଇଦେଲେ । ସେହିପରି ୨୦୧୮ ମସିହାରେ ପୁଣି ଥରେ କାନ୍ଥ ସଫା କରାଯାଇଥିଲା । କିନ୍ତୁ ମାତ୍ର ୫ ମାସ ମଧ୍ୟରେ ଏହା ପୁଣି ପୁରୁଣା ରୂପ ନେଇଗଲା । ପ୍ରାରମ୍ଭରେ ଲୋକମାନେ କେବଳ ମଜା ପାଇଁ ଏଠାରେ ଚୁଇଁଗମ୍ ଲଗାଉଥିଲେ । କିନ୍ତୁ ବର୍ତ୍ତମାନ ଚୁଇଁଗମ୍ ଲଗାଇବା ଏକ ପରମ୍ପରାରେ ପରିଣତ ହୋଇଛି । ପ୍ରେମୀ ଯୁଗଳ ଏକତ୍ରିତ ହୋଇ ସେମାନଙ୍କ ପ୍ରେମକୁ ଅମର କରିବା ପାଇଁ ଏଠାରେ ଚୁଇଁଗମ୍ ଲଗାଉଛନ୍ତି ।

Comments are closed.