ପୁରୀ:ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବାକୁ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ନାହିଁ। ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ କରାଯାଇଛି । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରିପୋର୍ଟ ଦେଇଛନ୍ତି । ତେଣୁ ପୂର୍ବ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା କୁହାଯାଉଛି।
ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ଷ୍ଟିଲ ବିମ୍ ଲଗାଯିବା ପ୍ରସ୍ତାବ ଓ ଖଣ୍ଡୋଲାଇଟ୍ ପଥର ଲଗା କାମ ବାକି ଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି । ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ପରବର୍ତ୍ତୀ ଆଦେଶ ଯାଏଁ ସ୍ଥଗିତ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସ୍ତାବ ସ୍ଥଗିତ କରାଯାଇଛି ।
କୋଭିଡ୍ ପରଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଜନ୍ମବେଦୀ ବନ୍ଦ ରହିଛି। କେବଳ ରଥଯାତ୍ରା ସମୟରେ ୯ ଦିନ ଶ୍ରୀ ଗୁଣ୍ଡିଚା ମନ୍ଦିର ଖୋଲାଯାଇଥାଏ ।
Comments are closed.