ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି । ଜମ୍ମୁ-କାଶ୍ମୀର ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜୌରୀର କଣ୍ଡି ଥାନା ଅଞ୍ଚଳର ବିରନ୍ଥୁବ ଅଞ୍ଚଳରେ ଆତଙ୍କବାଦୀ ଏବଂ ଏକ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୋଲିସ, ଭାରତୀୟ ସେନା ଏବଂ ସିଆରପିଏଫର ଏକ ମିଳିତ ଦଳ ଅଞ୍ଚଳକୁ ଘେରାବନ୍ଦୀ କରି ଏକ ଅପରେସନ୍ ଚଳାଇଛନ୍ତି।
ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚାରି ଜଣ ଆତଙ୍କବାଦୀ ରହିଥିବା ସନ୍ଦେହ କରାଯାଉଛି ।
ଖବରମୁତାବକ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭:୨୦ ସମୟରେ, ଅଞ୍ଚଳରେ ୧୦ ରୁ ୧୫ ରାଉଣ୍ଡ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG)ର ଏକ ଦଳ ଉପରେ ଗୁଳି ଚଳାଇଥିଲେ, ଯେଉଁମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିଲେ।
ତୁରନ୍ତ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଥିଲା। ଅଞ୍ଚଳରେ ପୂର୍ବରୁ ନିୟୋଜିତ ୪୩ ଆରଆର (ରାଜପୁତାନା ରାଇଫଲ୍ସ)ର ଏକ ଦଳ ତୁରନ୍ତ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ । ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିନେଇଛି ଏବଂ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ହୋଇଥିବାର ଖବର ମିଳିନାହିଁ ।
ଆତଙ୍କବାଦୀମାନେ ଖସି ପଳାଇ ନଯାଆନ୍ତୁ ସେଥିପାଇଁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରାଯାଇଛି। ସେନା ଡ୍ରୋନ୍ ଏବଂ ଥର୍ମାଲ୍ ଇମେଜିଂ ଡିଭାଇସ୍ ବ୍ୟବହାର କରି ଆତଙ୍କବାଦୀଙ୍କ ସଠିକ୍ ସ୍ଥାନ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି।
Comments are closed.