Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ନୀତି । ଦୁର୍ଗମାଧବ ରଥକୁ ବିଜେ ହୋଇଥିବା ବେଳେ ୧୨.୩୦ରେ ନାରାୟଣୀ ମନ୍ଦିରକୁ ବିଜେ ହୋଇଛନ୍ତି । ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଏହି ନାରାୟଣୀ ମନ୍ଦିରକୁ ଆସନ୍ତି ।

ଗୁଣ୍ଡିଚା’ କେବଳ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ନୁହେଁ; ‘ଗୁଣ୍ଡିଚା’ ନାମରେ ଆହୁରି କେତୋଟି ଯାତ୍ରା ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ । ସେଥିରୁ ଗୋଟିଏ ହେଉଛି ‘ଶାକ୍ତ ଗୁଣ୍ଡିଚା’। ବିଶେଷତ୍ୱ ଦୃଷ୍ଟିରୁ, ଦେବୀ ବିମଳାଙ୍କର ଷୋଡ଼ଶ ଦିନବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଏହି ନାମରେ ନାମିତ ହୋଇଛି । ଏହାକୁ ଅନେକେ ‘ଶାରଦୀୟ ଗୁଣ୍ଡିଚା’ ମଧ୍ୟ କହି ଥାଆନ୍ତି ।

ଏହି ପୂଜାର ଉପାସ୍ୟ ଦେବଦେବୀ ହେଉଛନ୍ତି ଶ୍ରୀମାଧବ ଓ ଦୁର୍ଗା। ଶାରଦୀୟ ଦୁର୍ଗାପୂଜା ଅବସରରେ ଦୁର୍ଗା ଓ ମାଧବ ଏକତ୍ର ଉପାସିତ ହେବାର ଏହି ପରଂପରା ଶ୍ରୀମନ୍ଦିରର ଏକ ବିଶେଷତ୍ୱ । ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ, ଆଶ୍ୱିନ ଶୁକ୍ଳ ନବମୀ ବା ମହାନବମୀ ପର୍ଯ୍ୟନ୍ତ ଏହି ଯାତ୍ରା ହୋଇଥାଏ । ଏଥିରେ ଦୁର୍ଗା ଓ ମାଧବ ଏକ ସୁସଜ୍ଜିତ ରଥାକୃତି ବିମାନରେ ଯାତ୍ରା କରୁଥିବାରୁ ଏହାର ନାମ ‘ଶାକ୍ତ ଗୁ୍‌ଣ୍ଡିଚା’ ବା ‘ଶାରଦୀୟ ଗୁଣ୍ଡିଚା’ ହୋଇଛି ।

ଏହି ଷୋଡ଼ଶ ଦିନ ବ୍ୟାପୀ ଯାତ୍ରାର ପ୍ରଥମ ଆଠ ଦିନ ଭଣ୍ଡାର ଘରେ ଥିବା ଦୁର୍ଗା ଓ ଶ୍ରୀମନ୍ଦିରର ରତ୍ନସିଂହାସନରେ ପୂଜିତ ମାଧବ ଆଜ୍ଞାମାଳ ପାଇ ବିମଳା ମନ୍ଦିରଠାରେ ଏକ ଖଟ ଉପରେ ଯାଇ ବିଜେ ହୁଅନ୍ତି । ପୂଜାବିଧି ବଢ଼ିବା ପରେ ଦୁର୍ଗା ଓ ମାଧବଙ୍କୁ ଏକ ସୁସଜ୍ଜିତ ରଥାକୃତି ବିମାନରେ ଭଣ୍ଡାରଘର ଦ୍ୱାରଠାକୁ ଅଣାଯାଏ । ଏହି ନୀତି ପ୍ରଥମ ଆଠଦିନ ଚାଲିବା ପରେ, ପରବର୍ତ୍ତୀ ଆଠଦିନ ଦୁର୍ଗା-ମାଧବଙ୍କୁ ସେହି ରଥାକୃତି ବିମାନରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରାଯାଏ। ଆଠଦିନ ଧରି ସେଠାରେ ବିମଳା ମନ୍ଦିରର ନୀତି ପରି ନୀତି ହୋଇଥାଏ। ପ୍ରତିଦିନର ନୀତି ପରେ ଦୁର୍ଗା-ମାଧବ ରଥାକୃତି ବିମାନରେ ବାହୁଡ଼ା ବିଜେ କରନ୍ତି। ଏ ଦୃଷ୍ଟିରୁ ‘ଗୁଣ୍ଡିଚା ମଣ୍ଡପ’ ପରି, ନାରାୟଣୀ ମନ୍ଦିରକୁ ମଧ୍ୟ ‘ଆଶ୍ୱିନଗୁଣ୍ଡିଚା ମଣ୍ଡପ’ କୁହାଯାଏ ।

ଏହି ନାରାୟଣୀ ମନ୍ଦିର, ଶ୍ରୀମନ୍ଦିରର କଳ୍ପବଟ ଓ ଦୋଳମଣ୍ଡପ ସାହିରେ ଥିବା ଅଙ୍ଗିରାଶ୍ରମର କାମ୍ୟବଟ ମଧ୍ୟରେ ଅବସ୍ଥିତ । ତେଣୁ ‘ନୀଳାଦ୍ରି ମହୋଦୟ’ରେ ଏହାକୁ ଏକ ପୁଣ୍ୟସ୍ଥଳ କୁହାଯାଇଛି ।

Leave A Reply

Your email address will not be published.