ପୁରୀ: ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା ଆରମ୍ଭ ହୋଇଛି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି । ନୀଳାଦ୍ରୀବିଜେ ଦିନ ମା ମହାଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ମହାପ୍ରଭୁ କରୁଛନ୍ତି ଗୁପ୍ତ ଗୁଣ୍ଡିଚା ଯାତ୍ରା । ପରମ୍ପରା ସଂସ୍କୃତି ଓ ଵିଧି ମୁତାବକ ଏହି ନିଆରା ଓ ଅନନ୍ୟ ଯାତ୍ରା ଗୁପ୍ତ ଗୁଣ୍ଡିଚା ରୂପେ ପରିଚିତ ହୋଇଥିବା ବେଳେ ଷୋଳପୂଜା ସମୟରେ ଏହି ଉପାସନା ଶ୍ରୀକ୍ଷେତ୍ରରେ ବେଶ ମହତ୍ଵ ବହନ କରିଥାଏ ।
ଶ୍ରୀମନ୍ଦିରରେ ସକାଳଧୂପ ଶେଷହେବା ପରେ ଭଣ୍ଡାର ଘର ଦ୍ୱାରରେ ଗତ ଆଠଦିନ ଧରି ରୁନ୍ଧା ହୋଇ ବିଜେ କରିଥିବା ଦୁର୍ଗାମାଧବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଜୟବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପ ନିକଟରେ ଥିବା ରଥକୁ ବିଜେ କରିବେ । ରଥାକୃତ ଏହି ବିମାନରେ ବସି ଚଳନ୍ତି ପ୍ରତିମା ଦୁର୍ଗାମାଧବ ଘଣ୍ଟ, ଘଣ୍ଟା ବିଜେ କାହାଳି ବାଜି ବିମାନରେ ନାରାୟଣ ମନ୍ଦିରକୁ ବିଜେ କରିଥାନ୍ତି । ନାରାୟଣୀଙ୍କ ପୀଠରେ ଦୁର୍ଗାମାଧବଙ୍କୁ କର୍ପୁରଜଳ ଲାଗି, ମାଣ୍ଡୁଅ ଭୋଗ, ଶୀତଳ ଭୋଗ, ଓ ବନ୍ଦାପନା ନୀତି କରାଯାଇଥାଏ । ଏହା ପରେ ବଡ଼ ଦେଉଳରେ ସଂନ୍ଧ୍ୟାଧୂପ ପରେ ଠାକୁରଙ୍କ ରାତି ଚନ୍ଦନ ବେଳେ ଦୁର୍ଗାମାଧବ ପୁଣି ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବାର ପରମ୍ପରା ରହିଛି ।
ପରମ୍ପରା ଅନୁସାରେ ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ରଥାରୁଢ଼ ହୋଇ ଗୁଣ୍ଡିଚା ଯାତ୍ରା କରିଥାନ୍ତି । ଏହି ସମୟରେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି ମହାପ୍ରଭୁ । ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରବେଶ ସମୟରେ ରୋଷରେ ଥିବା ମାତା ଲକ୍ଷ୍ମୀଙ୍କୁ ଶାରଦୀୟ ପୂଜା ଅବସରରେ ଗୁଣ୍ଡିଚା ଯାତ୍ରାରେ ନେବାକୁ ପ୍ରତିଶୃତି ଦେଇଥାନ୍ତି । ସେହି ପ୍ରତିଶୃତିକୁ ରକ୍ଷାକରି ଆଜିର ଦିନରେ ପରମ୍ପରା ଅନୁସାରେ ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ପାଳନ କରାଯାଇଥାଏ ।
Comments are closed.