Latest Odisha News

BREAKING NEWS

ଉଦଯାପିତ ହେଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ, ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧରି ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦଯାପିତ ହୋଇଛି ।

ଉଦଯାପନୀ ଉତ୍ସବରେ ନାଟ୍ୟ ଜଗତର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଡ଼ଃ ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୮

ଏବଂ ଓଡ଼ିଶୀ ନୃତ୍ୟରେ ସୋନାଲୀ ମହାପାତ୍ର ଓ ସୁବିକାଶ ମୁଖ।ର୍ଜୀ ଏବଂ କଥକ ନୃତ୍ୟରେ ସ୍ୱାତି ସିହ୍ନା ଏବଂ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୮ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ଉଦଯାପନୀ ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କର୍ମ ଜୀବନୀକୁ ନେଇ ପୁସ୍ତକ ‘ଡ଼୍ୟାନସିଂ ଇନଟୁ ଇଟରନିଟି’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ଯାହାକୁ କି ପ୍ରକାଶିତ କରିଥିଲେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ।

ଅନ୍ତିମ ସଂଧ୍ୟାରେ ସୃଜନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଓଡ଼ିଶୀକୁ ନୂତନ ଭାବରେ ସଂସ୍ଥାପିତ ପୁରାତନ ବା ଶାସ୍ତ୍ରୀୟ ନୃତ୍ୟ କିରୱାନୀ ମଧୁରିମା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ଗୀତ ଅନୁବାଦ କରିଥିଲେ ନିତ୍ୟାନନ୍ଦ ମିଶ୍ର ।

ଅନ୍ତିମ ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ ମାଟି ଯାହା ପ୍ରସିଦ୍ଧ ଓଡ଼ିଆ କବି ରାଧା ମୋହନ ଗଡ଼ନାୟକଙ୍କ କବିତାରୁ ଉଦ୍ଧୃତ । ଗୁରୁ ରତିକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମଟିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରୀ ଲକ୍ଷ୍ମୀକାନ୍ତ ପାଳିତ ସଙ୍ଗୀତ ସଂଯୋଜନା ସହିତ ଜୟଦେବ ଦାସଙ୍କ ଦ୍ୱାରା ଆଲେଖ୍ୟ ଏବଂ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ବିଶାରଦ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଗୀତ ରଚନା କରାଯାଇଥିଲା ।

ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।

ଏହି କଳାଉତ୍ସବରେ ଅତିଥିମାନେ ଥିଲେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସିନେ ତାରକା ହେମାମାଳିନୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର ।

Leave A Reply

Your email address will not be published.