Latest Odisha News

BREAKING NEWS

ଆନ୍ତର୍ଜାତିକ ଖୋଖୋରେ ଓଡ଼ିଶା ଝିଅଙ୍କ ଚମତ୍କାର ଖେଳ ପ୍ରଦର୍ଶନ

ଭୁବନେଶ୍ୱର: ସସ୍ମିତା ନାଥଶର୍ମା, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କଲେଜର ଜଣେ ଛାତ୍ରୀ । ଲଣ୍ଡନ ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଖୋଖୋ ଚାମ୍ପିୟନସିପରେ ଭାରତୀୟ ଖୋଖୋ ଦଳକୁ ପ୍ରତିନିଧିତ୍ୱ କରୁଥିଲେ ସସ୍ମିତା । ଓଡ଼ିଶାର ଏହି ଉଦୀୟମାନ ଖୋଖୋ ଖେଳାଳିଙ୍କ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ଯୋଗୁଁ ଭାରତ ଲଣ୍ଡନଠାରେ ସମାପ୍ତ ହୋଇଥିବା ଏହି ଖୋଖୋ ଚମ୍ପିଆନସିପରେ ବିଜେତା ହୋଇ ଟ୍ରଫି ହାସଲ କରିପାରିଛି ।

କଲେଜରେ ପଢୁଥିବା ସସ୍ମିତା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଗାଁ’ର ସରୋଜ ନାଥଶର୍ମାଙ୍କ ଝିଅ । ତାଙ୍କ ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ । ବର୍ତ୍ତମାନ ସସ୍ମିତା ତିର୍ତ୍ତୋଲର ଆଦିକବି ଶାରଳା ଦାସ କଲେଜରେ +୩ରେ ଅଧ୍ୟୟନ କରୁଛନ୍ତି ।

ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା ସେବେଠୁ ସେ ଖୋଖୋ ଖେଳ ଜାରି ରଖିଛନ୍ତି । ଖେଳ ଶିକ୍ଷକ ଭୁବନ ମୋହନ ଦାସଙ୍କୁ ଖୋଖୋ ଖେଳରେ ପ୍ରାଥମିକ ତାଲିମ ପାଇ ଏହି ଖେଳ ଲାଗି ସେ ରାଜ୍ୟ ବାହାରେ ମଧ୍ୟ ପୁରସ୍କୃତ ହୋଇପାରିଛନ୍ତି ।

ଲଣ୍ଡନଠାରେ ଇଂଲଣ୍ଡର ଖୋଖୋ ଫେଡ଼େରେସନ ପକ୍ଷରୁ ଆୟୋଜିତ ହୋଇଥିବା ଆନ୍ତର୍ଜାତିକ ଖୋଖୋ ଚାମ୍ପିୟନସିପରେ ସେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିଲେ । ଭାରତୀୟ ଜାତୀୟ ମହିଳା ଖୋଖୋ ଦଳରେ ସାମିଲ ହୋଇ ଗତ ସେପ୍ଟେମ୍ବର ୧ ତାରିଖରୁ ଅନୁଷ୍ଠିତ ହୋଇଥିବା ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.