Latest Odisha News

କୋର୍ଟଙ୍କ ଅନୁମତି ପରେ ଜ୍ଞାନବ୍ୟାପୀ ମସଜିଦରେ ମଧ୍ୟରାତ୍ରରୁ ଆରମ୍ଭ ହେଲା ପୂଜାର୍ଚ୍ଚନା

ବାରାଣାସୀ: କୋର୍ଟଙ୍କ ଅନୁମତି ପରେ ବିଳମ୍ବିତ ରାତ୍ର ସମୟରୁ ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହୋଇଛି ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା । କଡା ସୁରକ୍ଷା ଭିତରେ ମସଜିଦର ବ୍ୟାସ ଜୀ କା ତେହଖାନା ବା ବେସମେଣ୍ଟରେ ଏହି ପୂଜା କରାଯାଇଛି । ଆଜି ଭୋର ସମୟରେ ମଙ୍ଗଳ ଆଳତୀ କରାଯାଇଛି । ଗତକାଲି ବାରଣାସୀ କୋର୍ଟ ହିନ୍ଦୁ ପକ୍ଷ ଆବେଦନର ଶୁଣାଣି କରି ବ୍ୟାସ ଜୀ କା ତେହଖାନାରେ ପୂଜା-ପାଠ କରିବାକୁ ହିନ୍ଦୁ ପକ୍ଷଙ୍କୁ ଅନୁମତି ଦେଇଥିଲେ । ଦୀର୍ଘ ୩୦ ବର୍ଷ ପରେ ଜ୍ଞାନବ୍ୟାପୀ ପରିସରରେ ଏହି ପୂଜା କରାଯାଇଛି ।

ସୂଚନା ଅନୁଯାୟୀ, ଏହି ପୂଜା-ପାଠ ଅଧିକାର କାଶି ବିଶ୍ବନାଥ ଟ୍ରଷ୍ଟକୁ ଦିଆଯାଇଛି । ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି । ଏଥିସହ ଅଖଣ୍ଡ ଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି । ଆଜି ଠାରୁ ପ୍ରତିଦିନ ସକାଳେ ମଙ୍ଗଳ ଆଳତୀ, ଭୋର ଆଳତୀ ଓ ସନ୍ଧ୍ୟା ଆଳତୀ ସହ ଶୟନ ଆଳତୀ ମଧ୍ୟ କରାଯିବା ନେଇ ସୂଚନା ରହିଛି ।

ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ଆଦେଶ ଆସିବା ପରେ ବୁଧବାର ରାତିରେ ତହଖାନାରୁ ବ୍ୟାରିକେଡ୍ ହଟାଇ ଦିଆଯାଇଛି । ଏହା ପରେ ତୁରନ୍ତ ପୂଜାର୍ଚ୍ଚନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ସକାଳେ ମଧ୍ୟ ଜ୍ଞାନପୀଠ ପରିସରରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି । ହେଲେ ଏବେ କେବଳ ମନ୍ଦିର ପୂଜାରୀ ପୂଜାର୍ଚ୍ଚନା କରିପାରିବେ ।

ଏହି ଘଟଣାରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କୋର୍ଟଙ୍କ ଏହି ଆଦେଶକୁ ସ୍ୱାଗତ ଜଣାଇଥିବା ସହ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଶିବ ଭକ୍ତମାନେ ନ୍ୟାୟ ପାଇଥିବା ଲେଖିଛନ୍ତି । ବାବା ବିଶ୍ୱନାଥ ମନ୍ଦିର ପରିସର‌ରେ ଥିବା ବ୍ୟାସ ଜୀଙ୍କ ତଳ ମହଲାରେ ପୂଜା କରିବାର ଅଧିକାର ହିନ୍ଦୁ ପକ୍ଷଙ୍କୁ ପ୍ରଦାନ ସଂପର୍କରେ ମାନ୍ୟବର କୋର୍ଟଙ୍କ ଐତିହାସିକ ନିଷ୍ପତ୍ତିକୁ ମୁଁ ହୃଦୟରୁ ସ୍ୱାଗତ କରୁଛି । ୧୯୯୩ ମସିହାରୁ ଭକ୍ତମାନେ ଏହି ଐତିହାସିକ ଦିନକୁ ଅପେକ୍ଷା କରିଥିଲେ ।

ସୂଚନା ମୁତାବକ, ଜ୍ଞାନବ୍ୟାପୀର ଦକ୍ଷିଣ ପାର୍ଶ୍ୱରେ ଥିବା କୋଠାର ଏକ ତଳ ମହଲା ଅଛି । ଏଠାରେ ବ୍ୟାସ ପରିବାର ତରଫରୁ ୧୯୯୩ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ବ୍ୟାସ ଜୀ କା ତେହଖାନରେ ଅନୁଷ୍ଠିତ ହେଉଥିଲା ପୂଜାର୍ଚ୍ଚନା । ହେଲେ ୧୯୯୩ ମସିହାରେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଳ ମହଲାକୁ ବନ୍ଦ କରାଯାଇ ସେଠାର ବ୍ୟାରିକେଡ କରାଯାଇଥିଲା । ଏହା ସହିତ ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଜ୍ଞାନବ୍ୟାପୀ ପରିସରେ କରାଯାଉଥିବା ପୂଜାପାଠ ବନ୍ଦ ହୋଇଥିଲା ।

ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ହିନ୍ଦୁ ପକ୍ଷଙ୍କ ପକ୍ଷରୁ ଏନେଇ କୋର୍ଟରେ ମାମଲା ମଧ୍ୟ ହୋଇଥିଲା । ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି।

ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେ ବାସ୍ତବତାକୁ ଜାଣିବା ପାଇଁ ଏଏସଆଇର ସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲି କହିଥିଲେ । ଏଥିସହ ମସଜିଦର ବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ ।

ଏହି ସମୟ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲା ସଫା ହେବା ପରେ ୨୦୨୪ ଜାନୁୟାରୀ ୧୭ ତାରିଖରେ ବାରଣାସୀ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରି କୋର୍ଟ ନିର୍ଦ୍ଦେଶକ୍ରମେ ଏହାକୁ ନିଜ ଅଧିନକୁ ନେଇଥିଲା । ବର୍ତ୍ତମାନ ୭ ଦିନ ମଧ୍ୟରେ ସମସ୍ତ ବାଧାବିଘ୍ନ ହଟାଇବା ଏବଂ ବ୍ୟାସ ପରିବାରକୁ ନିୟମିତ ପୂଜାପାଠ କରିବାକୁ ଅଧିକାର ଦେବା ପଇଁ ବାରଣାସୀ ଜିଲ୍ଲା ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବୁଧବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ।

Comments are closed.