ନୂଆଦିଲ୍ଲୀ: ଆଜି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଅବସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣ ମହତାବଙ୍କ ଅବଦାନ ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଥିଲେ । ଜଣେ ମହାନ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ । ବିଗତ ଦିନ ମାନଙ୍କରେ କେବଳ ଗୋଟିଏ ପରିବାରକୁ ଗୁରୁତ୍ବ ମିଳି ଆସୁଥିଲା । ୧୯୩୮ରେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ ମହତାବ । ୧୯୭୫ ଜରୁରୀକାଳୀନ ପରିସ୍ଥିତ ବେଳେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା । ଇନ୍ଦିରା ଗାନ୍ଧିଙ୍କ ଶାସନରେ ଅତିଷ୍ଠ ହୋଇ କଂଗ୍ରେସ ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ ମହତାବ । ହୀରାକୁଦ ଡ୍ୟାମ୍ ଓ ଓଡ଼ିଶା ଭାଷା ପ୍ରତି ତାଙ୍କ ଅବଦାନକୁ କେବେବି ଭୁଲି ହେବ ନାହିଁ । ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ସାମ୍ବାଦିକତା ବି ସେ ହିଁ ସୃଷ୍ଟି କରିଥିଲେ ବୋଲି କହିଚନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହତାବଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହା ସହିତ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି।
‘ଉତ୍କଳ କେଶରୀ’ ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ଏକାଧାରାରେ ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ । ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ଏବଂ ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ସକ୍ରିୟତା ଅତୁଳନୀୟ । ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ । ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଲେଖା ଲେଖି ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।