Latest Odisha News

ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ୫ବର୍ଷ ପରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବାଟ ଖୋଲିଛି ଉତ୍ତର କୋରିଆ । କରୋନା ମହାରମାରୀ ଆରମ୍ଭରୁ ହିଁ ବିଦେଶୀଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଥିଲେ କିମ ଜଙ୍ଗ ଉନ୍ । କରୋନା ପରେ ଅନେକ ବଦଳିଛି ବିଶ୍ବ, ହେଲେ ବଦଳିନଥିଲା ଉତ୍ତର କୋରିଆ ନିଷ୍ପତ୍ତି । ଏବେ ଦେଶର ପର୍ଯ୍ୟଟନ ବିକାଶ ସହ ବିଦେଶୀ ଅର୍ଥକୁ ଦୃଷ୍ଟିରେ ରଖି କିମ ଜଙ୍ଗ ଉନ୍ କଟକଣା ହଟାଇବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ବିଦେଶୀ ପର୍ଯ୍ୟଟକ ସେଠାକୁ ଗଲେ ସେମାନଙ୍କୁ ଅନେକ ସର୍ତ୍ତ ମାନିବାକୁ ପଡିବ । ଆଉ ଅଜାଣତରେ ନମାନିଲେ ଜେଲ୍ ଓ କଡା ଦଣ୍ଡାଦେଶ ବି ହୋଇପାରେ ।

କଟକଣାରେ ବୁଲିବେ ଉତ୍ତର କୋରିଆ

ସାରା ବିଶ୍ବରୁ ଅଲଗା ହୋଇ ରହୁଥିବା ଉତ୍ତର କୋରିଆ ବିଦେଶୀ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କରିଛି । ହେଲେ ପର୍ଯ୍ୟଟକଙ୍କ ଯାତ୍ରା ଉପରେ ସର୍ତ୍ତାବଳୀ ଲାଗୁ ହେବ । ସେଠାକାର ଗାଇଡ୍ ବିନା ଦେଶ ଭିତରେ ଯାତାୟତ କରିପାରିବେନି ପର୍ଯ୍ୟଟକ । ଉତ୍ତର କୋରିଆର ଚିହ୍ନଟ ହୋଇଥିବା ଜାଗାରେ ହିଁ ବୁଲିପାରିବେ । ଅଧିକାଂଶ ସ୍ଥାନରେ ଫଟୋ ଉଠାଇବା ମନା । ସାମରିକ ସ୍ଥଳୀ ବା ନିର୍ମାଣାଧୀନ ସରକାରୀ କୋଠାର ଫଟୋ ଉଠାଇପାରିବେନି । ଏହାସହ ପର୍ଯ୍ୟଟକଙ୍କ ଉପରେ କ୍ୟାମେରା ତଥା ସ୍ଥାନୀୟ ଲୋକଙ୍କ ନଜର ରହିବ । ଏସବୁ ସର୍ତ୍ତ ମାନିବାକୁ ରାଜି ହେଲେ ଯାଇ ପର୍ଯ୍ୟଟକ ଉତ୍ତର କୋରିଆ ବୁଲିବାକୁ ଯାଇପାରିବେ ।

ପର୍ଯ୍ୟଟକଙ୍କ ପାଇଁ କଟକଣା

ଉତ୍ତର କୋରିଆରେ କିମ ଜଙ୍ଗ ଉନ୍ କିମ୍ବା ତାଙ୍କ ସରକାରୀ ଯୋଜନାକୁ ନେଇ ନକାରାତ୍ମକ ଟିପ୍ପଣୀ କଲେ ଗିରଫ ହେବେ । ଯାତ୍ରା ସମୟରେ ରାଜନୈତିକ ତଥା ଧାର୍ମିକ ବହି ନେଲେ ବି ଅସୁବିଧାରେ ପଡିପାରନ୍ତି । ଉତ୍ତର କୋରିଆରେ ଇଣ୍ଟରନେଟ୍ କଟକଣା ବେଶ୍ କଡାକଡି । ବିଦେଶୀ ପର୍ଯ୍ୟଟକଙ୍କୁ ଓ୍ବାଇଫାଇ କିମ୍ବା ଅନ୍ତର୍ଜାତୀୟ ଫୋନ୍ ନେଟଓ୍ବର୍କ ମିଳେ ନାହିଁ । ତେଣୁ ସେଠାକୁ ଗଲେ ଅଫଲାଇନ୍ ରହିବାକୁ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡିବ । ଡ୍ରୋନ୍, ସାଟେଲାଇଟ୍ ଫୋନ୍ ଓ ଜିପିଏସ୍ ଡିଭାଇସ ଉପରେ ଏଠାରେ ବ୍ୟାନ୍ ଲାଗିଛି । କେ-ପପ୍, ଦକ୍ଷିଣ କୋରିଆ ରାଜନୀତି କିମ୍ବା ହଲିଉଡ ଫିଲ୍ମ ନେଇ ଆଲୋଚନା କରିପାରିବେନି । ସେହିପରି ଉତ୍ତର କୋରିଆର ନ୍ୟାସନାଲ ସିମ୍ବଲକୁ ସମ୍ମାନ ଦେବାକୁ ପଡିବ । ଏପରିକି କିମ ଜଙ୍ଗ ଉନଙ୍କ ଫଟୋ ଥିବା ଖବରକାଗଜକୁ ଭାଙ୍ଗିପାରିବେନି। ଏଠାରେ ସମ୍ବେଦନଶୀଳ ପ୍ରସଙ୍ଗରେ ଥଟ୍ଟା କଲେ ବି ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ।

ପୋଷ୍ଟର ଚୋରି ପାଇଁ ଜେଲ୍

୨୦୧୫ରେ ଅଟୋ ଓ୍ବାର୍ମବିୟର ନାମକ ଜଣେ ଆମେରିକୀୟ ଛାତ୍ର ଉତ୍ତର କୋରିଆ ବୁଲି ଯାଇଥିଲେ । ତେବେ ଫେରିବା ବେଳେ ତାଙ୍କୁ ପ୍ୟୋଙ୍ଗୟାଙ୍ଗ ଏୟାରପୋର୍ଟରେ ହିରାସତକୁ ନିଆଯାଇଥିଲା । ଓ୍ବାର୍ମବିୟର ରାଜନୈତିକ ସ୍ଲୋଗାନ ଥିବା ଏକ ପୋଷ୍ଟର ଚୋରି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତିନି ମାସ ମଧ୍ୟରେ ଉତ୍ତରକୋରିଆ ସୁପ୍ରିମକୋର୍ଟ ଓ୍ବାର୍ମବିୟରଙ୍କୁ ୧୫ବର୍ଷର ଦଣ୍ଡାଦେଶ ଦେଇଥିଲେ । ଆମେରିକା ସରକାର ସହ ମିଶି ଓ୍ବାର୍ମବିୟର ଷଡ଼ଯନ୍ତ୍ର କରିଥିବା କୋର୍ଟ କହିଥିଲେ । ୨୦୧୭ରେ ଯଦିଓ ଓ୍ବାର୍ମବିୟରଙ୍କୁ ଛଡାଯାଇଥିଲା । ତେବେ ଗମ୍ଭୀର ନିର୍ଯାତନାର ଶୀକାର ହୋଇ ସେ କୋମାରେ ଥିଲେ । ମାତ୍ର କିଛି ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏହି ଘଟଣା ଘଟିଥିବା ବେଳେ ଆମେରିକା ଉତ୍ତର କୋରିଆ ଉପରେ କଟକଣା ଲଗାଇଥିଲା ।

କାନାଡା, ଅଷ୍ଟ୍ରେଲିଆ ପରି ଅଧିକାଂଶ ବିକଶିତ ଦେଶ ଉତ୍ତର କୋରିଆ ଯିବାକୁ ମନା କରନ୍ତି । ଦେଶରେ ଖରାପ ସ୍ବାସ୍ଥ୍ୟସେବା ବି ପର୍ଯ୍ୟଟକ ନଯିବାର ଅନ୍ୟତ୍ତମ କାରଣ । ଅନେକ ସମୟରେ ନିୟମ ନଜାଣିବା କାରଣରୁ ପର୍ଯ୍ୟଟକ ଫସି ଜେଲ୍ ଯାଆନ୍ତି । ତେବେ ଋଷ ଓ ଚୀନର ପର୍ଯ୍ୟଟକ ଅଧିକ ସଂଖ୍ୟାରେ ସେଠାକୁ ଯାଉଛନ୍ତି । ଉତ୍ତର କୋରିଆ ସରକାରୀ ଓ୍ବେବସାଇଟ୍ ତଥ୍ୟ ଅନୁସାରେ ଗତବର୍ଷ ଦୁଇ ଦେଶରୁ ୮ଶହରୁ ଅଧିକ ପର୍ଯ୍ୟଟକ ଯାଇଛନ୍ତି । ତେବେ ପୂର୍ବ ରେକର୍ଡକୁ ଦେଖି ବିଦେଶୀ ପର୍ଯ୍ୟଟକ ଉତ୍ତର କୋରିଆ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ।

Comments are closed.