Latest Odisha News

ଅନୁନ୍ନତ ଜନଜାତିଙ୍କ ୩ଟି ବାସସ୍ଥାନ ସ୍ୱୀକୃତି ଦେବାରେ ଅଗ୍ରଣୀ ଓଡ଼ିଶା

ଭୁବନେଶ୍ବର: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଅଧୀନରେ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜିଏସ)ଙ୍କୁ ବସତି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ଗତ ଅଗଷ୍ଟ ୭ ତାରିଖରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା କେନ୍ଦୁଝର ଜିଲ୍ଲାରେ ଜୁଆଙ୍ଗମାନଙ୍କର ବସତି ଅଧିକାରକୁ ସ୍ୱୀକୃତି ଦିଆଯାଇଥିଲା ।

ଭାରତର ଅନ୍ୟ ରାଜ୍ୟ ତୁଳନାରେ ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ପାଇଁ ସ୍ୱୀକୃତି ପ୍ରାପ୍ତ ତିନୋଟି ବସତି ଅଧିକାର ଯୋଗାଇ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି । ସ୍ୱୀକୃତି ପ୍ରାପ୍ତ ତିନୋଟି ବସତି ଅଧିକାର ଯୋଗାଇ ଦେବାରେ ଏହା ଭାରତରେ ସର୍ବାଧିକ । ଏହା ପୂର୍ବରୁ ୨୦୨୪ ଅଗଷ୍ଟ ୬ ତାରିଖରେ ଯାଜପୁର ଜିଲ୍ଲାର ଜୁଆଙ୍ଗ ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ବସତି ଅଧିକାରକୁ ସମ୍ପୃକ୍ତ ଡିଏଲସି ଅନୁମୋଦନ କରିଥିଲେ ।

ପୂର୍ବରୁ ୨୦୨୪ ମାର୍ଚ୍ଚ ୭ ତାରିଖରେ ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ରାଜ୍ୟର ପ୍ରଥମ ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ଭାବେ ବସତି ଅଧିକାର ପାଇଥିଲେ । ବାରକୋଟ ବ୍ଲକ ଅଧୀନରେ ଥିବା ୩୨ଟି ଗାଁରେ ପାଉଡ଼ି ଭୂୟାଁଙ୍କ ବସତି ଅଧିକାରକୁ ସ୍ୱୀକୃତି ମିଳିଥିଲା । ସେଭଳି ସୁକିନ୍ଦା ବ୍ଲକ ଅଧୀନରେ ଥିବା ୧୩ଟି ଗାଁକୁ ଅନ୍ତର୍ଭୁକ୍ତ କରି ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗମାନଙ୍କ ପାଇଁ ବସତି ଅଧିକାରକୁ ସ୍ୱୀକୃତି ମିଳିଛି।
ଏହାର ଅର୍ଥ କ’ଣ :
ଆଦିମ ଜନଜାତିମାନେ ସ୍ଥାୟୀ ଜୀବନଯାପନ ଏବଂ ସେମାନଙ୍କର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରି ପିଢ଼ି ପିଢ଼ି ଧରି ସେମାନଙ୍କ ପୈତୃକ ଜମିର ପରିଚାଳକ ହୋଇ ଆସୁଛନ୍ତି । ଏହି ଅନୁମୋଦନ ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ଅଧିକାରକୁ ସୁନିଶ୍ଚିତ କରେ । କେବଳ ଏତିକି ନୁହଁ ଆଦିବାସୀ ଜନସଂଖ୍ୟାର ପରମ୍ପରା ଏବଂ ଜୀବନଶୈଳୀକୁ ସମ୍ମାନ ଦେଇ ଏହାକୁ ବଜାୟ ରଖିବାର ଗୁରୁତ୍ୱକୁ ମଧ୍ୟ ସୁଦୃଢ଼ କରେ । ଏଫଆରଏ ଅଧୀନରେ ବସତି ଅଧିକାରକୁ ସ୍ୱୀକୃତି ମିଳିବା ହେଉଛି ଆଦିବାସୀ ସମ୍ପ୍ରଦାୟର ଅଧିକାରକୁ ସ୍ୱୀକୃତି ଏବଂ ସୁରକ୍ଷା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି ବର୍ଗରେ କେନ୍ଦୁଝରର ଜୁଆଙ୍ଗମାନେ ଭାରତରେ ଷଷ୍ଠ ବିଶେଷ ଭାବେ ଅନୁନ୍ନତ ଜନଜାତି ଯେଉଁମାନେ ଜଙ୍ଗଲ ବାସସ୍ଥାନ ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ରଖିଛନ୍ତି । ଏହି ବର୍ଗରେ ଜଙ୍ଗଲ ବାସସ୍ଥାନ ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ରଖିଥିବା ଅନ୍ୟ ବିଶେଷ ଭାବେ ଅନୁନ୍ନତ ଜନଜାତି ହେଉଛନ୍ତି ଯାଜପୁରର ଜୁଆଙ୍ଗ, ଓଡ଼ିଶାର ଦେବଗଡ଼ର ପାଉଡ଼ି ଭୂୟାଁ, ମଧ୍ୟପ୍ରଦେଶର ଭାରିଆ ଏବଂ ଛତିଶଗଡ଼ର କମାର ଓ ବାଇଗା ସମ୍ପ୍ରଦାୟ ।

କେନ୍ଦୁଝରର ଜୁଆଙ୍ଗ ସମ୍ପ୍ରଦାୟର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜିଏସ)ଙ୍କୁ ବସତି ଅଧିକାର ମିଳିବା ପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଖୁସି ପ୍ରକାଶ କରି କହିଛନ୍ତି ଯେ, “ଆଦିବାସୀ ସମ୍ପ୍ରଦାୟ ଏବଂ ବିଶେଷଭାବେ ଅନୁନ୍ନତ ଜନଜାତିଙ୍କ ସାମଗ୍ରିକ ବିକାଶ ଦେଖିବା ପାଇଁ ଆମର ଲୋକାଭିମୁଖୀ ସରକାର ସର୍ବଦା ତତ୍ପର ଅଛନ୍ତି ଏବଂ ଏହି ବସତି ଅଧିକାର ସ୍ୱୀକୃତି ସହିତ ଏହା ଅଧିକ ସ୍ପଷ୍ଟଭାବେ ଅନୁଭୂତ ହେବ।”

ବସତି ଅଧିକାର ଏବଂ ଜଙ୍ଗଲ ଅଧିକାର ଆଇନ:

ବିଶେଷ ଭାବେ ଅନୁନ୍ନତ ଜନଜାତି ମାନଙ୍କ ପାଇଁ ବାସସ୍ଥାନ ହେଉଛି ଏପରି ଏକ ଅଞ୍ଚଳ ଯେଉଁଠାରେ ରହିଛି ଏହି ସମ୍ପ୍ରଦାୟର ଉଭୟ ଆଧ୍ୟାତ୍ମିକ ଏବଂ ଭୌତିକ ସମ୍ପର୍କ । ଆଧ୍ୟାତ୍ମିକ ସମ୍ପର୍କ ହେଉଛି ଏଭଳି ଏକ ସ୍ଥାନ ଯାହା ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହି ଅଞ୍ଚଳରେ ଶ୍ମଶାନ, ଜନ୍ମସ୍ଥାନ, ମନ୍ଦିର, ଦେବାଦେବୀ, ପୈତୃକ ଜମି କିମ୍ବା ପର୍ବପର୍ବାଣୀ ଏବଂ ଶୋଭାଯାତ୍ରା ଅନ୍ତର୍ଭୁକ୍ତ ଭଳି ଅନ୍ୟ କୌଣସି ସାମାଜିକ-ସାଂସ୍କୃତିକ ଉଦ୍ଦେଶ୍ୟରେ ବ୍ୟବହୃତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି । ଏହି ଅଞ୍ଚଳରେ ଜୀବିକା ଉତ୍ପାଦନ ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ମାଛଧରା ଉତ୍ସ, ଚାଷ ଜମି ଏବଂ ଋତୁକାଳୀନ ପ୍ରବାସୀ ଜମି ପାରମ୍ପରିକ ଜମି ବ୍ୟବହାର ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଜଙ୍ଗଲ ଅଧିକାର ଆଇନ ଅଧୀନରେ ବାସସ୍ଥାନ ଅଧିକାରକୁ ଜୀବିକା, ସାମାଜିକ ଏବଂ ସାଂସ୍କୃତିକ ଅଭ୍ୟାସ ସେମାନଙ୍କର ବାସସ୍ଥାନ ଗଠନ କରୁଥିବା ଅଞ୍ଚଳରେ ଜଡ଼ିତ ଅଧିକାରର ଏକ ବୁଜୁଳା ବା ବିଡା ଭାବରେ ବ୍ୟାଖ୍ୟା କରାଯାଇପାରେ ।

ଜଙ୍ଗଲ ଅଧିକାର ଆଇନ (ଏଫଆରଏ), ୨୦୦୬ର ଧାରା ୨(ଏଚ୍)ରେ “ବାସସ୍ଥଳୀ” ହେଉଛି ପାରମ୍ପରିକ ବାସସ୍ଥାନ ଅନ୍ତର୍ଭୁକ୍ତ ଅଞ୍ଚଳ ଓ ସଂରକ୍ଷିତ ଜଙ୍ଗଲରେ ଏହିପରି ଅନ୍ୟ ଆବାସସ୍ଥଳୀ ଏବଂ ଏହା ସହ ଆଦିମ ଆଦିବାସୀ ଗୋଷ୍ଠୀ ଏବଂ ପ୍ରାକ୍-କୃଷି ସମ୍ପ୍ରଦାୟ ଏବଂ ଅନ୍ୟ ଜଙ୍ଗଲରେ ବାସ କରୁଥିବା ଅନୁସୂଚିତ ଜନଜାତିଙ୍କ ସଂରକ୍ଷିତ ଜଙ୍ଗଲ’। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ଏବଂ ଜୀବିକା କ୍ଷେତ୍ରରେ ଆଦିବାସୀ ଏବଂ ଅନ୍ୟ ପାରମ୍ପରିକ ଜଙ୍ଗଲରେ ରହୁଥିବା ଜନଜାତିଙ୍କ ପ୍ରାଚୀନ ସମ୍ପର୍କ ଥିବା ସ୍ଥାନଗୁଡ଼ିକୁ ଏହି ଆବାସସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି।

ଓଡ଼ିଶାରେ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜିଏସ):

ଓଡ଼ିଶାରେ ରହିଛନ୍ତି ୧୩ଟି ସମ୍ପ୍ରଦାୟର ବିଶେଷ ଭାବେ ଅନୁନ୍ନତ ଜନଜାତି, ଯାହା ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସର୍ବାଧିକ। ଓଡ଼ିଶାର ୧୪ଟି ଜିଲ୍ଲାର ୪୨ଟି ବ୍ଲକରେ ଥିବା ୨୮୫ଟି ଗ୍ରାମ ପଞ୍ଚାୟତ (ଜିପି) ଅଧିନ ୧,୬୮୩ଟି ଗାଁ ବା ବସ୍ତିରେ ଏହି ବିଶେଷ ଭାବେ ଅନୁନ୍ନତ ଜନଜାତି ବସବାସ କରନ୍ତି। ଏଠାରେ ମୋଟ ଜନସଂଖ୍ୟା ୭,୭୩,୦୯୨ ଥିବା ବେଳେ ୧,୭୯,୭୪୨ ପରିବାର ରହୁଛନ୍ତି। ସମସ୍ତ ୧୩ଟି ବିଷେଶ ଭାବେ ଅନୁନ୍ନତ ଜନଜାତି ସାମାଜିକ-ସାଂସ୍କୃତିକ ଏବଂ ସାମାଜିକ-ରାଜନୈତିକ ମହତ୍ତ୍ୱ ଅଲଗା ଅଲଗା ଏବଂ ବାସସ୍ଥାନ ଦୃଷ୍ଟିକୋଣ ମଧ୍ୟ ଭିନ୍ନ ରହିଛି ।

ଜଙ୍ଗଲ ଅଧିକାର ଆଇନ ଅଧୀନରେ ଓଡିଶାର ସମସ୍ତ ୧୩ଟି ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ବସତିର ମାନଚିତ୍ରଣ କରି ଗବେଷଣା ଅଧ୍ୟୟନ କରିଛି ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଗବେଷଣା ଓ ତାମିଲ ସଂସ୍ଥା (ଏସସିଏସଟିଆରଆଇ) ।

ଏସସିଏସଟିଆରଟିଆଇର ମାର୍ଗଦର୍ଶନରେ ଏବଂ ଅଂଶୀଦାର ବେସରକାରୀ ସଂସ୍ଥା ବସୁନ୍ଧରାର ସମର୍ଥନରେ, ବସତି ଅଧିକାର ନିର୍ଦ୍ଧାରଣ ଏବଂ ଦାବି ପ୍ରସ୍ତୁତି ପ୍ରକ୍ରିୟା ପ୍ରତ୍ୟେକ ବିଶେଷ ଭାବେ ଅନୁନ୍ନତ ଜନଜାତିର ପାରମ୍ପରିକ ଅନୁଷ୍ଠାନ ଦ୍ୱାରା କରାଯାଇଥିଲା ।

୧୩ଟି ବିଶେଷ ଭାବେ ଅନୁନ୍ନତ ଜନଜାତି ମଧ୍ୟରୁ ୧୪ଟି କ୍ଷୁଦ୍ର ପ୍ରକଳ୍ପରେ ୯ଟି ବିଶେଷ ଭାବେ ଅନୁନ୍ନତ ଜନଜାତି ପାଇଁ ସବ୍ ଡିଭିଜନ ସ୍ତରୀୟ କମିଟି (ଏସଡିଏଲସି)ରେ ବାସସ୍ଥାନ ଅଧିକାର ଦାବି ଦାଖଲ କରାଯାଇଛି ଏବଂ ଏସଡିଏଲସି ଏବଂ ଡିଏଲସିରେ ଅନୁମୋଦନର ବିଭିନ୍ନ ପର୍ଯ୍ୟାୟରେ ରହିଛି ।

ଅଧ୍ୟୟନକାରୀଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ପାରମ୍ପରିକ ମୁଖ୍ୟମାନଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ ବ୍ୟବସ୍ଥା ଏବଂ ବସତି ଅଧିକାର ଉପରେ ଅନେକ ସଚେତନତା ଶିବିର ଏବଂ ବୈଠକ ଆୟୋଜନ କରାଯାଇଥିଲା । ଆବାସ ଅଧିକାର ଦାବି ପ୍ରକ୍ରିୟା ଉପରେ ଜିଲ୍ଲାସ୍ତରୀୟ ଅଧିକାରୀ, ଏଫଆରଏର କାର୍ଯ୍ୟକାରିତା ନୋଡାଲ ଅଫିସର, ବିଶେଷ ଭାବେ ଅନୁନ୍ନତ ଜନଜାତିର ପାରମ୍ପରିକ ମୁଖିଆ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହ ଆଲୋଚନା କରାଯାଇଥିଲା।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ରୂପା ରୋଶନ ସାହୁ କହିଛନ୍ତି ଯେ, ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ବାସସ୍ଥାନ ଅଧିକାର ଏକ ଉଲ୍ଲେଖନୀୟ ସଫଳତା ଏବଂ ଆମ ରାଜ୍ୟର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ (ପ୍ରାୟ ୨୩ ପ୍ରତିଶତ) ଆଦିବାସୀ ହୋଇଥିବାରୁ ସେମାନଙ୍କ ପାଇଁ ଆମେ ଅଧିକ କାମ ପାଇଁ ଯୋଜନା କରିବୁ। ଆମର ପ୍ରୟାସ ସମଗ୍ର ରାଜ୍ୟରେ ଏହି ସମ୍ପ୍ରଦାୟ ବିଶେଷତଃ ବିଶେଷ ଭାବେ ଅନୁନ୍ନତ ଜନଜାତି ମାନଙ୍କ କଲ୍ୟାଣ ପାଇଁ ଆମର ପ୍ରୟାସ ଅଧିକ କେନ୍ଦ୍ରୀଭୂତ ହେବ ।

Comments are closed.