ଭୁବନେଶ୍ୱର: ମୟୂରଭଞ୍ଜରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତିର ମୂଲ୍ୟାଙ୍କନ କରି ଲୋକମାନଙ୍କୁ ଓଡ଼ିଶା ସରକାର କ୍ଷତିପୂରଣ ବାବଦକୁ ୨୦.୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଗୃହ ମରାମତି ସହାୟତା, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା ରାଶି ପାଇଁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଛି।
ରାଜ୍ୟ ବିଧାନସଭାରେ ସୋମବାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।କୁଆପଥର ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୦.୩୮ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।
ପ୍ରାରମ୍ଭିକ ଆକଳନ ଅନୁଯାୟୀ କୁଆପଥର ବର୍ଷା ଯୋଗୁଁ ମୟୂରଭଞ୍ଜରେ ୧୩ ଟି ବ୍ଲକ୍ (ବାଙ୍ଗିରିପୋଷି, ବିଶୋଇ, କୁଲିଅଣା, ସାରସକଣା, କରଞିଆ, ବହଳଦା, ବିଜତଳା, ଯଶିପୁର, ତିରିଙ୍ଗ, ରରୁଆଁ, ଠାକୁରମୁଣ୍ଡା, ରାଇରଙ୍ଗପୁର ଓ କୁସୁମି) ର ୫୧ ଟି ଗ୍ରାମର ୮୫୪୭ ଜଣ ବ୍ୟକ୍ତି ପ୍ରଭାବିତ ହୋଇଥିଲେ।
ଏହାବ୍ୟତୀତ ୩୫୧୪ଟି ଗୃହ କ୍ଷତିଗ୍ରସ୍ତ ହୋଇଅଛି । ତନ୍ମଧ୍ୟରୁ ୧୩୫୦ଟି କଚ୍ଚାଘର ସଂପୂର୍ଣ୍ଣ ରୂପେ ଓ ୨୧୬୦ଟି ଗୃହ ଆଂଶିକ ରୂପେ ଏବଂ ୪ଟି ଗୁହାଳଘର କ୍ଷତିଗ୍ରସ୍ତ ହୋଇଅଛି ଏବଂ ସମୁଦାୟ ୪୪୨ ହେକ୍ଟର କୃଷି ଓ ଉଦ୍ୟାନ କୃଷି କ୍ଷତିଗ୍ରସ୍ତ ହୋଇଅଛି।
Comments are closed.