ନୂଆଦିଲ୍ଲୀ: ରାଫାରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସକୁ ବଡ଼ ସଫଳତା । ହମାସ୍ ମୁଖ୍ୟ ୟାହ୍ୟା ସିନୱାର ମାରି ଗଡାଇଲେ ଇସ୍ରାଏଲ୍ ଡିଫେନ୍ସ । ସିନୱାର ନିହତ ହୋଇଥିବା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ୭ ତାରିଖର ଆମ ଲୋକଙ୍କ ସହ ଯେଉଁ ବ୍ୟକ୍ତି ନରସଂହାର ଘଟାଇଥିଲେ ତାଙ୍କ ଠାରୁ ଆମେ ପ୍ରତିଶୋଧ ନେଇଛୁ। ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ। ହମାସ୍ ଅସ୍ତ୍ର ଛାଡ଼ି ପଣବନ୍ଦୀଙ୍କୁ ଫେରାଇଲେ ଯୁଦ୍ଧ ଆସନ୍ତାକାଲି ହିଁ ସରିଯିବ । ହମାସ୍ ୨୩ ଦେଶର ୧୦୧ ନାଗରିକଙ୍କୁ ଏବେ ବି ପଣବନ୍ଦୀ କରି ରଖିଛି । ତେବେ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ନେତାନ୍ୟାହୁ ।
ସେପଟେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା । ସିନୱାର ନିହତ, ଇସ୍ରାଏଲ୍ ପାଇଁ ଭଲ ଦିନ ବୋଲି କହିଛନ୍ତି ଜୋ ବାଇଡେନ୍ । ସିନୱାରଙ୍କ ମୃତ୍ୟୁ ହମାସ ପାଇଁ ଇସ୍ରାଏଲର ବନ୍ଦୀମାନଙ୍କୁ ମୁକ୍ତ କରିବା ଏବଂ ଗାଜାରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ସୁଯୋଗ। ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିବାର ମାଷ୍ଟରମାଇଣ୍ଡର ମୃତ୍ୟୁ ପୁଣି ଥରେ ପ୍ରମାଣିତ କରିଛି ଯେ, ଦୁନିଆରେ କୌଣସି ଆତଙ୍କବାଦୀ ନ୍ୟାୟରୁ ବଞ୍ଚି ପାରିବ ନାହିଁ। ଯେତେ ସମୟ ଲାଗିଲେ ମଧ୍ୟ ଆତଙ୍କବାଦର ପରାଜୟ ସୁନିଶ୍ଚିତ।
Comments are closed.