Latest Odisha News

ହମାସ ଟପ୍ ଲିଡରଙ୍କୁ ହତ୍ୟା, ବଢିବ ମଧ୍ୟପ୍ରାଚ୍ୟ ସଂକଟ !

ନୂଆଦିଲ୍ଲୀ: ପାଲେଷ୍ଟିନୀୟ ସଂଗଠନ ହମାସକୁ ଶକ୍ତ ଧକ୍କା । ହମାସ ନେତା ଇସମାଇଲ ହନିୟାଙ୍କୁ ହତ୍ୟା କରାଯାଇଛି। ଇରାନ ରାଜଧାନୀ ତେହେରାନରେ ହନିୟା ରହୁଥିବା ଘର ଉପରେ ଆକ୍ରମଣ ହେବାରୁ ସେ ପ୍ରାଣ ହରାଇଥିବା ସୂଚନା ଦେଇଛି ହମାସ । ହନିୟାଙ୍କ ମୃତ୍ୟୁ ପଛରେ ଇସ୍ରାଏଲର ହାତ ଥିବା ଅନେକ ଆରବ ଦେଶ ସନ୍ଦେହ କରୁଛନ୍ତି । କିନ୍ତୁ ଏନେଇ କୌଣସି ଔପଚାରିକ ପ୍ରତିକ୍ରିୟା ଦେଇନାହିଁ ଇସ୍ରାଏଲ୍ । ହନିୟାଙ୍କ ହତ୍ୟା ନେଇ ଇସ୍ରାଏଲର ଜଣେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି । ହନିୟାଙ୍କ ମୃତ୍ୟୁରେ ବିଶ୍ୱ ସ୍ଥିତି ଟିକେ ଭଲ ହୋଇଛି ବୋଲି ଇସ୍ରାଏଲୀ ମନ୍ତ୍ରୀ କହିଛନ୍ତି ।

ହନିୟାଙ୍କ ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ଘୋଷଣା କରିଛି ହମାସ୍ । ହନିୟାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଇରାନ ବୈଦେଶିକ ମନ୍ତ୍ରାଳୟ କହିଛି । ହମାସ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଗାଜାରେ ଏକ ମାନବୀୟ ସଂକଟ ସୃଷ୍ଟି ହୋଇଥିବା ବେଳେ ହନିୟାଙ୍କ ହତ୍ୟା ଦ୍ୱାରା ସ୍ଥିତି ଆହୁରି ସଂଗୀନ ହେବ ବୋଲି ଆଶଙ୍କା କରାଯାଉଛି ।

ଗତବର୍ଷ ଅକ୍ଟୋବରରେ ହମାସ ଇସ୍ରାଏଲ ଅଧିକୃତ ପାଲେଷ୍ଟିନୀୟ ଅଂଚଳରେ ଅତର୍କିତ ଭାବେ ବଡ ଧରଣର ଆକ୍ରମଣ କରିଥିଲା । ଏଥିରେ ୧୨୦୦ ଇସ୍ରାଏଲୀ ପ୍ରାଣ ହରାଇଥିଲେ । ଏହାପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିି ହମାସ ନିୟନ୍ତ୍ରଣରେ ଥିବା ଗାଜା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ୍ । ହଜାର ହଜାର ପାଲେଷ୍ଟିନୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

କାତାରରେ ରହୁଥିଲେ ଇସମାଇଲ ହନିୟା। ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମାସୁଦ ପେଜେଶିୟାନଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗ ଦେବାକୁ ତେହେରାନରେ ଥିଲେ। ସେ ରହୁଥିବା ଘରେ ଆକ୍ରମଣ ହୋଇଥିଲା । ଏବର୍ଷ ଏପ୍ରିଲରେ ଗାଜାରେ ଇସ୍ରାଏଲର ମିସାଇଲ ମାଡରେ ହନିୟାଙ୍କ ତିନି ପୁଅ ସମେତ ତିନି ନାତିନାତୁଣୀଙ୍କ ମୃତ୍ୟୁ ହୋଇଥିଲା ।

କିଏ ଇସମାଇଲ ହନିୟା?

ପାଲେଷ୍ଟିନୀୟ ସଂଘର୍ଷରେ କଣ ଥିଲା ଇସମାଇଲ ହନିୟାଙ୍କ ଭୂମିକା? ହମାସ୍ ପଲିଟିକାଲ ବ୍ୟୁରୋର ମୁଖ୍ୟ ଥିଲେ ଇସମାଇଲ ହନିୟା । ବହୁ ପୂର୍ବରୁ ସେ ପାଲେଷ୍ଟିନୀୟ ପ୍ରାଧିକରଣର ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ଏକ ପାଲେଷ୍ଟିନୀୟ ଶରଣାର୍ଥୀ ଶିବିରରେ ଜନ୍ମିଥିଲେ ହନିୟା । ୧୯୮୯ରେ ହନିୟାଙ୍କୁ ତିନି ବର୍ଷ ଜେଲରେ ରଖିଥିଲା ଇସ୍ରାଏଲ୍। ପରେ ତାଙ୍କୁ ଆଉ କିଛି ପାଲେଷ୍ଟିନୀୟ ନେତାଙ୍କ ସହ ନିର୍ବାସନରେ ପଠାଇ ଦିଆଯାଇଥିଲା। ୧୯୯୭ରେ ହନିୟା ହମାସର ଆଧ୍ୟାତ୍ମିକ ନେତା ଶେଖ୍ ଅହମ୍ମଦ ୟାସିନଙ୍କ କାର୍ଯ୍ୟାଳୟର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୭ରେ ହନିୟାଙ୍କୁ ହମାସ ପଲିଟିକାଲ ବ୍ୟୁରୋର ମୁଖ୍ୟ ନିଯୁକ୍ତ କରାଯାଇଥିଲା। ୨୦୧୮ରେ ହନିୟାଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଆମେରିକା।

ହମାସ ଏକ ସୁନ୍ନୀ ମୁସଲିମ ସଂଗଠନ ହୋଇଥିଲେ ମଧ୍ୟ ସିହା ବହୁଳ ଇରାନ ସହ ସଂପର୍କ ଭଲ । କାରଣ ମଧ୍ୟପ୍ରାଚ୍ୟରେ ଇରାନ ଏକମାତ୍ର ଦେଶ ଯିଏ କି ଇସ୍ରାଏଲକୁ ଖୋଲାଖୋଲି ବିରୋଧ କରିଆସୁଛି । ତେଣୁ ରାଜନୈତିକ ଦୃଷ୍ଟିରୁ ସିହା ବହୁଳ ଇରାନ ସହ ହମାସର ସଂପର୍କ ଭଲ । ଏବେ ହନିୟାଙ୍କ ହତ୍ୟା ମଧ୍ୟପୂର୍ବ ସଂକଟକୁ ଆହୁରି ସଂଗୀନ କରିବ ବୋଲି ଆଶଙ୍କା କରାଯାଉଛି।

Comments are closed.