Latest Odisha News

BREAKING NEWS

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି । ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସହଯୋଗରେ ମଙ୍ଗଳବାର ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌), ଭୁବନେଶ୍ୱର ଶାଖାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଡାକ୍ତର ରାୟ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସେପ୍‌ସିସ୍ ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସଚେତନ ହେବା ଆବଶ୍ୟକ । ଏଥସହ ଡାକ୍ତରଖାନାରେ ନିୟମିତ ହାତ ଧୋଇବାର ପ୍ରକ୍ରିୟାକୁ ଜାରି ରଖିବା ଉଚିତ୍ । କୋଭିଡ ପରେ ଲୋକମାନେ ପୁଣି ଥରେ ନିୟମିତ ହାତ ଧୋଇବା ଅଭ୍ୟାସ ଭୁଲିଯାଇଛନ୍ତି । କେବଳ ହାତ ଧୋଇବା ଦ୍ୱାରା ହିଁ ୯୫ ପ୍ରତିଶତ ସଂକ୍ରମଣର ଭୟକୁ ଦୂର କରାଯାଇପାରିବ ବୋଲି ସେ କହିଛନ୍ତି ।

ଆଇଏସ୍‌ସିସିଏମ୍‌ର ଚଳିତ ବର୍ଷର ପ୍ରସଙ୍ଗ ଥିଲା ‘ପ୍ରିଭେଂଟ ସେପ୍‌ସିସ୍‌, ସେଭ୍ ଲାଇଫ୍‌’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର)ପୁଷ୍ପରାଜ ସାମନ୍ତସିଂହାର ସେପ୍‌ସିସ୍‌ରୁ ରକ୍ଷା ପାଇବା ନିମନ୍ତେ ଓ କୌଣସି ପ୍ରକାର ବ୍ୟାଧିର ଶିକାର ନ ହେବା ପାଇଁ ହାତ ଧୋଇବା ହିଁ ସବୁଠାରୁ ବଡ଼ ପ୍ରତିଷେଧକ ବୋଲି କହିଥିଲେ । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଆଇସିୟୁ, ଏସ୍‌ଡିୟୁ ଓ ବିଶେଷଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ଏହି ଅବସରରେ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ଚେୟାରମ୍ୟାନ୍ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଡେପୁଟି ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ଆନନ୍ଦ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ସେପ୍‌ସିସ୍‌କୁ ନେଇ ଲୋକମାନେ ସଚେତନ ହେବା ଆବଶ୍ୟକ ଓ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ ବୋଲି ଡ. ମିଶ୍ର କହିଥିଲେ । ଏହା ଦ୍ୱାରା ସଂକ୍ରମଣ ଶରୀରର ଅନ୍ୟାନ୍ୟ ଅଂଗକୁ ପହଂଚିପାରିବ ନାହିଁ । ସେପ୍‌ସିସ୍ ସବୁ ବୟସର ଲୋକଙ୍କ ଶରୀରକୁ ସଂକ୍ରମିତ କରିପାରେ । ବିଶେଷ କରି ଏହା ଯକୃତ, ଫୁସଫୁସ ଓ ବୃକକ୍‌କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ ବୋଲି ଡ. ମିଶ୍ର କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏସ୍‌ସିସିଏମ୍‌ର ସମ୍ପାଦକ ଡ. ବିଶ୍ୱବିକାଶ ମହାନ୍ତି ଓ କୋଷାଧ୍ୟକ୍ଷ ଡ. ସମୀର ସାମଲ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରୋଗୀମାନଙ୍କର ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.