Latest Odisha News

BREAKING NEWS

ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ଫିଟିଲା ବାଟ: ସରକାରଙ୍କୁ ପ୍ରଦାନ କରାଗଲା ଡିପିଆର

ରାଉରକେଲା: ଦୀର୍ଘ ଦିନରୁ ବିବାଦ ଘରରେ ଥିବା ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ବାଟ ଫିଟିଛି। ସର୍ଭେ ପରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।

ବେଦବ୍ୟାସ ବିକାଶ ମଞ୍ଚ ଏବଂ ବିଭିନ୍ନ ରାଜନୈତିକ ଦଳର ଉଦ୍ୟମ ଯୋଗୁଁ ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନପୂରଣ ହେବାକୁ ଯାଉଛି।  ପ୍ରାୟ ମାସକ ତଳେ ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ, ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗିରଥୀ ସାହୁ, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର ତତ୍ବାବଧାନରେ ସର୍ଭେ କାର୍ଯ୍ୟ ଆରମ୍ଭ  କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଅଗ୍ନିଶମ ବିଭାଗର ଅଧିକାରୀ କୃତିବାସ ସାହୁଙ୍କ ନେତୃତ୍ବରେ ୧୧ ଜଣିଆ ଦଳ ସହଯୋଗ କରିଥିଲେ।

କେବଳ ଏତିକି ନୁହେଁ ଗତ ମେ ୧୮ ତାରିଖରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଭୁବନେଶ୍ବରରୁ ବିଶ୍ବବ୍ୟାଙ୍କ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦୁର୍ଗାପ୍ରସନ୍ନ ମିଶ୍ର ହାଡ଼ପକାଘାଟ ତଥା ପାଖାପାଖି ଅଞ୍ଚଳ ବୁଲି ତଦାରଖ କରିଥିଲେ। ଏବଂ ତୁରନ୍ତ କାମ ଆରମ୍ଭ ହେବ ବୋଲି କହିଥିଲେ  । ଏହା ପୂର୍ବରୁ ବେଦବ୍ୟାସ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଝୁଲାପୋଲ ନିର୍ମାଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

କେ‌ବଳ ଏତିକି ନୁହେଁ ବହୁ ପୂର୍ବରୁ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବେଦବ୍ୟାସ ଝୁଲାପୋଲ ପାଇଁ କେନ୍ଦ୍ର ଆଦିବାସୀ ବିଭାଗ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‌ଓସି ନ ମିଳିବାରୁ ବର୍ଷ ବର୍ଷ ଧରି ପାଣ୍ଠି ପଡ଼ି ରହିବା ପରେ ଫେରିଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ବେଦବ୍ୟାସ ପୀଠର ଶୋଭାବର୍ଦ୍ଧନ ପାଇଁ ଝୁଲାପୋଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Leave A Reply

Your email address will not be published.