Latest Odisha News

ନାଗାବଳୀ ନଦୀର ଝୁଲା ପୋଲ, ପର୍ଯ୍ୟଟଙ୍କ ପାଇଁ ସାଜିଛି ଡେଥ ଜୋନ୍

ରାୟଗଡ଼ା: ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲର ଆଖପାଖ ଏବେ ଲୋକଙ୍କ ପାଇଁ ବିପଦ ସାଜିଛି।  ପର୍ଯ୍ୟଟନ ସ୍ଥଳରୁ ଧୀରେ ଧୀରେ ଡେଥ ଜୋନର ପରିଚୟ ନେବାରେ ଲାଗିଛି ।  ବିଗତ 5 ବର୍ଷର ରେକର୍ଡ କହୁଛି ସୁରକ୍ଷା ଅଭାବରୁ ଏଠାରେ ବୁଡି ମଲେଣି 27 ପର୍ଯ୍ୟଟକ ।

ଗୋଟିଏ ପଟେ ଦକ୍ଷିଣ ଭାରତର ପ୍ରସିଦ୍ଧ ଶକ୍ତି ପୀଠ ମଝିଘରିଆଣୀ ତ ଅନ୍ୟ ପଟେ ରାୟଗଡାର ଅପରୂପ ସୌନ୍ଦର୍ଜ୍ୟରେ ଭରପୁର ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ।  ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ରାୟଗଡା କୁ ଆସନ୍ତି ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦର୍ଶନ ପାଇଁ ।

ଏହି ପୋଲଟି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ନିକଟରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ।  ଫଳରେ ମନ୍ଦିରକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଏହି ଅଞ୍ଚଳକୁ ବୁଲିବାକୁ ଯାଇଥାନ୍ତି । ଅନେକ ପର୍ଯ୍ୟଟକ ଝୁଲାପୋଲ ବୁଲିବା ପରେ ନଦୀକୁ ଯାଇ ଗାଧୋଇବା ସହ ପଥର ଶଯ୍ୟାରେ ଫଟୋ ଉଠାଇବା ବେଳେ ଟିକିଏ ଅସାବଧାନତା ଯୋଗୁଁ ନାଗାବଳୀ ପ୍ରଖର ସ୍ରୋତରେ ଭାସି ମୃତ୍ୟୁବରଣ କରୁଛନ୍ତି ।

 ପ୍ରତିଦିନ ଏଠି ଶହ ଶହ ପର୍ଯ୍ୟଟକଙ୍କ ଭିଡ ଜମୁଛି , ଜୀବନ ମଧ୍ୟ ଯାଉଛି ହେଲେ ସୁରକ୍ଷା କଥା ପୁରା ଭୁଲିଯାଇଛି ଜିଲ୍ଲା ପ୍ରଶାସନ । ଫଳରେ 5 ବର୍ଷ ମଧ୍ୟରେ 27 ମୁଣ୍ଡ ନେଲାଣି ନାଗାବଳୀ ଯାହାକି ଚିନ୍ତା ବଢାଇଛି ପର୍ଯ୍ୟଟକଙ୍କ ମହଲରେ ।

ସଂପୂର୍ଣ ଲୁହା ତାରରେ ନିର୍ମିତ ଏହି ଝୁଲାପୋଲ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ୨୦୧୭ ମସିହାରେ ଏହି ଝୁଲାପୋଲ ନିର୍ମାଣ ପର ଠାରୁ ବୁଲିବାକୁ ଆସି ୬ ପର୍ଯ୍ୟଟକ ନାଗାବଳୀରେ ବୁଡ଼ି ମରିଥିଲେ ।  ୨୦୧୮ରେ ୮ ଜଣ, ୨୦୧୯ରେ ୬, ୨୦୨୦ରେ ଜଣେ, ୨୦୨୧ରେ ୨ ଜଣ, ୨୦୨୨ରେ ବର୍ତମାନ ସୁଧା ୨ ଜଣ ପର୍ଯ୍ୟଟକଙ୍କ ଜୀବନ ଗଲାଣି ।

ଏଥି ସହିତ ୨୫ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ନଦୀଗର୍ଭରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। । ତେବେ ଗତ ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଏ. ଗୋପାଳକ୍ରିଷ୍ଣାଙ୍କ ପରିବାର ଝୁଲାପୋଲ ବୁଲିବାକୁ ଆସିଥିବା ବେଳେ ୩ ପୁଅ ନାଗାବଳୀରେ ଭାସିଯାଇଥିଲେ। ଗୋପାଳକ୍ରିଷ୍ଣା ୨ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ୬ ବର୍ଷର ପୁଅ ଏ. ଅମରେଶ ରାଓ ଏବେ ବି ନିଖୋଜ ଅଛନ୍ତି ।

ସୁରକ୍ଷା ଦୃଷ୍ଟିକୋଣରୁ ଝୁଲାବ୍ରିଜ୍‌ ଦୁଇପାର୍ଶ୍ବରେ ନଦୀକୁ ଯିବା ପାଇଁ ଥିବା ରାସ୍ତାରେ ସୁରକ୍ଷା ପାଚେରି ନିର୍ମାଣ ସହ ସକାଳ ୬ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରିବା ଜରୁରି ହୋଇ ପଡିଛି ।  ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏଭଳିକି ଅଘଟଣ ରୋକିବାକୁ ଦରକାର ପଡିଲେ ସମ୍ପୃକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ପାଇଁ ବିଭିନ୍ନ ସଂଗଠନର ଦାବି କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ କି ୨୦୧୧ ମସିହାରେ ରାୟଗଡ଼ା ବ୍ଲକ୍‌ର ୮ ଟି ମାଓ ପ୍ରବଣ ପଞ୍ଚାୟତକୁ ସଂଯୋଗ ପାଇଁ ଆଇଏପି ଯୋଜନାରେ ଦେଢ଼ କୋଟି ବ୍ୟୟରେ ଝୁଲାପୋଲର ନିର୍ମାଣ ଆରମ୍ଭ ହୋଇ ୨୦୧୨ ମାର୍ଚ୍ଚରେ ସରିଥିଲା । ପରବର୍ତୀ ମୁହୂର୍ତ୍ତରେ ଏହି ସବୁ ଅଞ୍ଚଳକୁ ଯାତାୟାତ ପାଇଁ ୬ଟି ଓସାରିଆ ଆଧୁନିକ ଜ୍ଞାନ କୌଶଳର ବ୍ରିଜ୍‌ ନିର୍ମାଣ ସରି କାର୍ଯ୍ୟକ୍ଷମ ହୋଇଛି । ସେପଟେ ଝୁଲାବ୍ରିଜର ଅବଧି ଶେଷ ହୋଇଯିବା ସହ ଜରାଜୀର୍ଣ୍ଣ ହେବାଲେ ଲାଗିଥିବା ବେଳେ ଏହାକୁ ବିପଦସଙ୍କୁଳ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।

Comments are closed.