ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସ ୨୦୨୨ ଆଜି ବିଧିବଦ୍ଧ ଭାବେ ଶେଷ ହୋଇଛି । ଅଲିମ୍ପିକ ସ୍ପୋର୍ଟ୍ସ ସେଂଟର ଷ୍ଟାଡିୟମରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ୭୨ ବର୍ଷ ଏସିଆନ ଗେମ୍ସ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୧୯ତମ ସଂସ୍କରଣରେ ଭାରତ ପ୍ରଥମ ଥର ୧୦୦ ପଦକର ମ୍ୟାଜିକ ଫିଗର ଛୁଇଁବା ସହ ନୂତନ ଅଧ୍ୟାୟ ଆରମ୍ଭ କରିଛି । ଓଭରାଲ ଭାରତ ୧୦୭ ପଦକ ହାସଲ କରିଛି । ହକି ଟିମର ଗୋଲକିପର ପିଆର ଶ୍ରୀଜେଶ ଉଦଯାପନୀ ଉତ୍ସବରେ ଭାରତର ନେତୃତ୍ୱ ନେଇଥିଲେ । ଏଥିସହ ଏହି ଅବସରରେ ୨୦୨୬ ଏସିଆନ ଗେମ୍ସ ଜାପାନର ନାଗୋୟା ସହରରେ ହେବ ବୋଲି ଘୋଷଣା କରାଯାଇଥିଲା । ଭାରତର ୬୫୩ ଆଥଲେଟ ଏଥିରେ ଅଂଶଗ୍ରହଣ କରିଥିଲେ । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ଭାରତ ଜିତିଥିଲା ।
ଏହା ପୂର୍ବରୁ ୨୦୧୮ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୭୦ ପଦକ ଜିତିଥିଲା । ଚୀନ, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ଏଥର ତାର ଅଭିଯାନ ଶେଷ କରିଛି । ୧୯୫୧ରେ ନୂଆଦିଲ୍ଲୀରେ ଆୟୋଜିତ ଏସିଆନ ଗେମ୍ସରେ ଭାରତ ୧୫ ସ୍ୱର୍ଣ୍ଣ ହାସଲ କରିଥିଲା । ଏହି ରେକର୍ଡକୁ ଭାଙ୍ଗିବାକୁ ଭାରତକୁ ୬୮ ବର୍ଷ ଲାଗିଥିଲା । ଚୀନ ୨୦୧ ସ୍ୱର୍ଣ୍ଣ, ୧୧୧ ରୌପ୍ୟ ଓ ୭୧ ବ୍ରୋଞ୍ଜ ସହ ୩୮୩ ପଦକ ଜିତି ଶୀର୍ଷରେ ରହିଛି । ଜାପାନ ( ୫୨, ୬୭, ୬୯), ଦକ୍ଷିଣ କୋରିଆ (୪୨, ୫୯, ୮୯), ଭାରତ (୨୮, ୩୮, ୪୧) ଓ ଉଜବେକିସ୍ତାନ (୨୨, ୧୮, ୩୧) ପଦକ ହାସଲ କରି ୨ୟରୁ ୫ମ ସ୍ଥାନରେ ରହିଛନ୍ତି ।
Comments are closed.