ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲବମର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା, ସେତକ ବନ୍ଦ ହୋଇଯାଉଥିଲା । ନଈ ଆରପାରିରେ ଆମ ଗାଁକୁ ଯିବା ବି ଥିଲା ବେଶ ମୁସ୍କିଲ୍ । କାରଣ- ଘାଟିଆ ଡଙ୍ଗା ଓ କାତ ଛାଡ଼ି ଦେଇ ‘ରାମାୟଣ’ କି ‘ମହାଭାରତ’ ଦେଖିବାକୁ ଯାଉଥିଲା ।
ସେଥିରେ ଅଭିନୟ କରିଥିବା କଳାକାରମାନେ ବି ଆମ ସ୍ମୃତିରେ ଏକରକମ ଜୀବନ୍ତ ଭଗବାନ ।
ପରକୁ ପର ଯେତେ ରାମାୟଣ ମୁଁ ଦେଖିଛି, ସିନେମାରେ କିମ୍ବା ଅଲଗା ମାଧ୍ୟମରେ, ସବୁଦିନେ ମନେ ପଡ଼େ ରାମାୟଣର ରାମଚନ୍ଦ୍ର ମାନେ ଅରୁଣ ଗୋଭିଲ୍ ।
ସିନେମାର ବଲିଉଡ୍ ବଜାର କିମ୍ବା ୧୯୯୧ରେ ସାଟେଲାଇଟ୍ ଚାନେଲ୍ ଆସିବା ପୂର୍ବରୁ ଦୂରଦର୍ଶନ ହିଁ ଥିଲା ସାରା ପରିବାରଟା ପାଇଁ ଖବର, ମନୋରଂଜନ, ଇତିହାସ, ଭୂଗୋଳ, ସାହିତ୍ୟ – ସବୁ ଜାଣିବାର ଗୋଟାଏ ଦେଖଣା ମାଧ୍ୟମ ।
ବୁନିୟାଦ୍, ନୁକ୍କଡ଼, ହମଲୋଗ୍, ୟେହ ଜୋ ହୈ ଜିନ୍ଦେଗୀ, ଭାରତ ଏକ ଖୋଜ୍, ଦି ସୋର୍ଡ଼ ଅଫ ଟିପୁ ସୁଲତାନ୍, ଚିତ୍ରହାର, ରଙ୍ଗୋଲି, ଏକ ସେ ବଢ୍କର୍ ଏକ୍, ଦେଖ ଭାଇ ଦେଖ୍, ବ୍ୟୋମକେଶ ବକ୍ସି, ଚନ୍ଦ୍ରକାନ୍ତା, ତେହକିକାତ୍, ସୁରଭି, ଗୁଲ୍ ଗୁଲଶନ୍ ଗୁଲ୍ଫାମ, ଉଡ଼ାନ୍,
ମାଲଗୁଡ଼ି ଡେଜ୍….ଏମିତି ଆହୁରି ଅନେକ କାର୍ଯ୍ୟକ୍ରମ ଆମକୁ ଦେଇଥିଲା ଦୂରଦର୍ଶନ, ଯାହା ତାହାର ଲୋକପ୍ରିୟତାକୁ ପୁରୁଣା ଦିନରେ ସର୍ବାଧିସ୍ତରରେ ପହଞ୍ଚାଇ ଥିଲା ।
ଆଜିକୁ ଠିକ୍ ୫୯ ବର୍ଷ ତଳେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖ ନୂଆଦିଲ୍ଲୀର ଗୋଟେ ଛୋଟିଆ ଟ୍ରାନ୍ସମିଟରକୁ ନେଇ ଓ ଗୋଟେ ଉଠା ଷ୍ଟୁଡ଼ିଓରୁ ଆତ୍ମପ୍ରକାଶ କରିଥିଲା ଦୂରଦର୍ଶନ ।
୧୯୬୫ ମସିହାରୁ ଏହା ଅଲ୍ ଇଣ୍ଡିଆ ରେଡିଓ ସାଙ୍ଗେ ମିଶି ସବୁଦିନିଆ ଛୋଟମୋଟ କାର୍ଯ୍ୟକ୍ରମ ପ୍ରସାରଣ ସୁରୁ କରିଥିଲା । ତା’ର ସାତ ବର୍ଷ ପରେ ଦୂରଦର୍ଶନର ବିସ୍ତାର ଆରମ୍ଭ ହୋଇଥିଲା । ପ୍ରସାରଣ ବଢି ଯାଇଥିଲା ସେତେବେଳକାର ବମ୍ବେ ଆଉ ଅମୃତସରକୁ (୧୯୭୨) । ୧୯୭୫ ମସିହା ପର୍ଯ୍ୟନ୍ତ ଦେଶର ମାତ୍ର ସାତଟି ସହରର ଲୋକେ ହିଁ ଦେଖୁଥିଲେ ଦୂରଦର୍ଶନ ନାମକ ଅଜବ ଜିନିଷକୁ । ୧୯୮୨ ମସିହାରେ ଦୂରଦର୍ଶନ ଆରମ୍ଭ କରିଥିଲା ଜାତୀୟ ପ୍ରସାରଣ କାର୍ଯ୍ୟକ୍ରମ । ୧୯୬୭, ଜାନୁୟାରୀ ୨୬ରୁ ଦୂରଦର୍ଶନରେ ପ୍ରସାରଣ ଆରମ୍ଭ ହୋଇଥିବା ‘କୃଷି ଦର୍ଶନ’ ହେଉଛି ଆମ ଦେଶର ସର୍ବାଧିକ ଦିନ ଚାଲିଥିବା କାର୍ଯ୍ୟକ୍ରମ ।
ଯେଉଁ ବର୍ଷ ଜାତୀୟ ପ୍ରସାରଣ ଆରମ୍ଭ ହେଲା, ଯୋଗକୁ ସେଇ ବର୍ଷ ହିଁ ରଙ୍ଗୀନ ଟେଲିଭିଜନ୍ ଆସି ଯାଇଥିଲା । ୧୯୮୨ ମସିହାର ସ୍ୱାଧିନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଅଭିଭାଷଣ ପ୍ରସାର କରିଥିଲା ଦୂରଦର୍ଶନ ।
ଏକାବର୍ଷ ନୂଆଦିଲ୍ଲୀ ଆୟୋଜନ କରିଥିଲା ଏସିଆନ୍ ଗେମ୍ସ । ଆଉ ତା’କୁ ପ୍ରସାରଣ କରି ଦୂରଦର୍ଶନ ଲୋକପ୍ରିୟତାର ସିଡ଼ି ଚଢିବାକୁ ଆରମ୍ଭ କରିଥିଲା । ପରକୁ ପର ଆସିଥିଲା ଅଭୁଲା ଧାରାବାହିକର ଲମ୍ବା ଧାଡ଼ି, ‘ସୁରଭି’ ପରି ସାଂସ୍କୃତିକ କାର୍ଯ୍ୟକ୍ରମର ପସରା ଏବଂ ‘ଚିତ୍ରହାର’ରେ ଚିର ସବୁଜ ଗୀତର ସୁର । ଯାହା ଦୂରଦର୍ଶନର ସ୍ଥାନକୁ ପ୍ରତିଟି ଭାରତୀୟଙ୍କ ଛାତିରେ ସ୍ୱତନ୍ତ୍ର କରି ଦେଇଥିଲା ।
ଏବେ ୩୪ଟି ଚ୍ୟାନେଲ୍କୁ ବଢି ସାରିଛି ଦୂରଦର୍ଶନର ପରିସୀମା । ପାଖାପାଖି ୪୬ଟି ନିୟମିତ ଷ୍ଟୁଡ଼ିଓରୁ କାର୍ଯ୍ୟକ୍ରମ ସୁଟିଂ ହେଉଛି ଓ ପ୍ରସାରିତ ହେଉଛି ।
୩୪ଟି ଚ୍ୟାନେଲ୍ ମଧ୍ୟରୁ ଦୁଇଟି ହେଉଛି ଜାତୀୟ- ଯଥା ଦୂରଦର୍ଶନ (ନ୍ୟାସନାଲ) ଏବଂ ଦୂରଦର୍ଶନ (ଗ୍ରାମାଞ୍ଚଳ) । ସେମିତି ଆଉ ଗୋଟେ ଚ୍ୟାନେଲ୍ ଦୂରଦର୍ଶନ (ସ୍ପୋର୍ଟସ୍) କେବଳ ଖେଳ ପାଇଁ ଉଦ୍ଦିଷ୍ଟ । ଏଇ ଚ୍ୟାନେଲର ବିଶେଷତା ହେଉଛି- କବାଡ଼ି, ଖୋ ଖୋ ଆଦି ଗ୍ରାମାଞ୍ଚଳ କ୍ରୀଡ଼ା ମଧ୍ୟ ଏଥିରେ ପ୍ରସାରିତ ହୋଇଥାଏ, ଯାହା ଅଲଗା ସାଟେଲାଇଟ୍ ସ୍ପୋର୍ଟସ୍ ଚ୍ୟାନେଲରେ ଆଦୌ ସ୍ଥାନ ପାଇ ନଥାଏ । ଏହାଛଡ଼ା ସଂସଦର କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ରହିଛି- ଲୋକସଭା ଓ ରାଜ୍ୟସଭା ଚ୍ୟାନେଲ୍ ।
ନଭେମ୍ବର ୩, ୨୦୦୩ ମସିହାରେ ଆରମ୍ଭ ହୋଇଥିଲା ଦୂରଦର୍ଶନ (ନ୍ୟୁଜ୍) । ଏହି ଚ୍ୟାନେଲ୍ ୨୪ ଘଣ୍ଟିଆ ଖବର ପ୍ରସାରଣ କରି ଆସୁଛି । ୨୦୧୪ରେ ଦୂରଦର୍ଶନକୁ ‘ଦେଶକା ଆପନା ଚାନେଲ’ (ଦେଶର ନିଜସ୍ୱ ଚ୍ୟାନେଲ୍) ଭାବେ ଘୋଷଣା କରାଯାଇଥିଲା ।
ତେବେ ପ୍ରସାରଣ ଆଉ ଲୋକପ୍ରିୟତାର ବିଶାଳ ପରିଧି ଭିତରେ ଦୂରଦର୍ଶନ ବିବାଦଠାରୁ ବିଶେଷ ଦୂରେଇ ପାରି ନାହିଁ । ବର୍ତ୍ତମାନ ପ୍ରସାର ଭାରତୀ ଯାହା ସରକାରୀ ଭାଷାରେ ସ୍ୱୟଂଶାସିତ, ତାହା ଦୂରଦର୍ଶନ ଏବଂ ଆକାଶବାଣୀ (ଅଲ୍ ଇଣ୍ଡିଆ ରେଡିଓ)ର ପରିଚାଳନା ସଂସ୍ଥା ଭାବେ କାର୍ଯ୍ୟ କରୁଛି । କିନ୍ତୁ ସରକାରୀ ସରହଦ ଭିତରୁ ଦୂରଦର୍ଶନ କେବେ ବି ବାହାରି ଆସି ପାରିନାହିଁ । ଯାହା ପରୋକ୍ଷରେ ପ୍ରଭାବିତ କରିଛି ଦେଶର ସବୁଠାରୁ ବଡ଼ ଗଣମାଧ୍ୟମକୁ ।
ସେମିତି ସାଟେଲାଇଟ ଯୁଗରେ ଯେତେବେଳେ ଧାରାବାହିକ ଓ ରିଅଲିଟି ସୋ’ ଆମ ସମୟକୁ କବଜା କରି ପକେଇଛି, ସେତେବେଳେ ଦୂରଦର୍ଶନ ବଜାର ଚାହିଦା ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପାରୁନି । ବରଂ ପାରମ୍ପରିକ ଏବଂ ପୁରୁଣା ଢଙ୍ଗରେ ବନ୍ଧା ପଡ଼ି ଯାଇଛି ବୋଲି ଚର୍ଚ୍ଚା ବଢେ । ତେଣୁ ଏହାର ଦର୍ଶକଙ୍କ ସଂଖ୍ୟା ଆତଙ୍କଜନକ ଭାବେ କମି ଯାଇଛି ।
ତଥାପି ଯଦି ଆପଣ ସାରା ଦେଶର ଖବର ଗୋଟିଏ ନ୍ୟୁଜ ବୁଲେଟିନରେ ଦେଖିବାକୁ ଚାହୁଁଛନ୍ତି, ତେବେ ଦୂରଦର୍ଶନ ହିଁ ଏକମାତ୍ର ମାଧ୍ୟମ ଆଜିର ଦିନରେ ।
ସାଟେଲାଇଟ ଯୁଗରେ ଏବେ ହୁଏତ ଆମ ପାଖରେ ଦୂରଦର୍ଶନ ପାଇଁ ସମୟ ଆଉ ନାହିଁ । ଟିଭି ରିମୋଟ୍ ରେ ଚ୍ୟାନେଲ୍ ଫଟାଫଟ୍ ବଦଳାଇଲା ବେଳେ ତଥାପି ଆମ ହାତ ବେଳେ ବେଳେ ଦୂରଦର୍ଶନ ପାଖେ ରହିଯାଏ । କାରଣ- ପୁରୁଣା ସ୍ମୃତି ସେଇଠି ଆମକୁ ଅଟକେଇ ଦିଏ । ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ବର୍ତ୍ତମାନ ବି ବେଳ ଅବେଳରେ ଅଲଗା ଚ୍ୟାନେଲ୍ରେ ଆସିଲେ ମନ ଭିତରେ କୋଉଠି ନା କୋଉଠି ମାଲଗୁଡ଼ି ସହର ସ୍ମୃତିରେ ସତେଜ ହୋଇଉଠେ । ତେବେ ୫୯ ବର୍ଷର ଲମ୍ବା ରାସ୍ତାରେ ଯେତେବେଳେ ଭାରତୀୟଙ୍କ କଳ୍ପନାରେ ଯିଏ ଡେଣା ଲଗେଇ ଦେଇଥିଲା, ବାସ୍ତବ ଚରିତ୍ର କରି ଆମ ସାମ୍ନାରେ ଠିଆ କରିଥିଲା ଏବଂ ରଙ୍ଗ ଦେଇଥିଲା- ସେଇଟି ହେଉଛି ଦୂରଦର୍ଶନ ।
(ଲେଖକ ବୃତ୍ତିରେ ସାମ୍ବାଦିକତା ବିଭାଗର ଅଧ୍ୟାପକ । ସେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରନ୍ତି । ତାଙ୍କର ଦୀର୍ଘଦିନର ସାମ୍ବାଦିକତା ଅଭିଜ୍ଞତା ରହିଛି)
Comments are closed.