Latest Odisha News

BREAKING NEWS

ରାଜଧାନୀରେ ଏବେ ଭୋକିଲାଙ୍କ ଭୋକ ମେଣ୍ଟାଇବ ‘ହାପି ଫ୍ରିଜ’, କିପରି ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀର ରାସ୍ତା କଡରେ ରଖାଯାଇଛି ଏକ ଫ୍ରିଜ । ଯେଉଁଥିରେ ରହିଛି ଭଳିକି ଭଳି ଖାଇବା ଜିନିଷ । କିଛି ଲୋକ ଖାଇବା ରଖିଦେଇ ଯାଉଛନ୍ତି ଆଉ କିଛି ଲୋକ ଏହାକୁ ଖୋଲି ଆଣି ମନ ଆନନ୍ଦରେ ଖାଉଛନ୍ତି। ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି କି ? ବୁଝିବାକୁ ଟିକିଏ ଅଡୁଆ ହେଉଛି କି? ଆମେ ଆପଣଙ୍କୁ ଜଣାଉଛୁ ସମ୍ପୂର୍ଣ୍ଣ ଘଟଣାଟି ।

ଭୁବନେଶ୍ବର ଷ୍ଟେସନ ବଜାର ରାସ୍ତା କଡରେ ରଖାଯାଇଛି ଏକ ଫ୍ରିଜ । ଯାହାର ନାମ ରଖାଯାଇଛି ‘ ହାପି ଫ୍ରିଜ’ । ଏହାର ନାମ ପଛର କାରଣ ମଧ୍ୟ ନିଆରା । ଏହି ଫ୍ରିଜ ଲୋକଙ୍କ ମଧ୍ୟରେ ଖୁସି ବଣ୍ଟିବାକୁ ଏଠାରେ ସ୍ଥାପନ କରାଯାଇଛି।

ଆପଣଙ୍କ ଘରେ କିଛି ପାର୍ଟି ,ଫଙ୍କସନ ହେଉଥିଲେ ନିହାତି ରୂପେ କିଛି ଖାଦ୍ୟ ବଳି ପଡୁଥିବ । ତେବେ ବଳି ପଡୁଥିବା ଖାଦ୍ୟକୁ ଆପଣ ଆଣି ଏହି ‘ ହାପି ଫ୍ରିଜ’ ରେ ରଖି ପାରିବେ । ଖାଦ୍ୟ ପାଇଁ ସଂଘର୍ଷ କରିଥିବା କିମ୍ବା ଦରପେଟିଆ ହୋଇ ଶୋଉଥିବା ଗରିବ ଲୋକେ ଏହି ‘ହାପି ଫ୍ରିଜ’ରୁ ଖାଦ୍ୟ ନେଇ ଖାଇପାରିବେ।

ମିଳିଥିବା ସୂଚନା ଅନୁସାରେ ‘ଫିଡିଙ୍ଗ ଇଣ୍ଡିଆ’ ଓ ଷ୍ଟେସନ ବଜାର କମିଟି’ ର ମିଳିତ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି ଏହି ଫ୍ରିଜ । ଯାହାର ନାମ ରଖାଯାଇଛି ‘ହାପି ଫ୍ରିଜ’ । ଏଠି ଯେକୌଣସି ବ୍ୟକ୍ତି ଖାଦ୍ୟ ରଖିପାରିବେ, ଯେ କୌଣସି ବ୍ୟକ୍ତି ଖାଦ୍ୟ ନେଇ ପାରିବେ ଏବଂ ଏହି ଦିଆନିଆ ପ୍ରକ୍ରିୟା ପାଇଁ କାହାରିକୁ କିଛି ମୂଲ୍ୟ ଦେବାକୁ ପଡିବ ନାହିଁ। ଆମିଷ ଖାଦ୍ୟ ଅଧିକ ଦିନ ରହୁ ନଥିବାରୁ ଏହି ଫ୍ରିଜରେ କେବଳ ନିରାମିଷ ଖାଦ୍ୟ ହିଁ ରଖାଯିବାର ସୂଚନା ରହିଛି ।

ତେବେ ୨୪ ଘଣ୍ଟା ଖୋଲା ରହିବାକୁ ଥିବା ଏହି ଫ୍ରିଜ ଅନେକ ଗରିବ ତଥା ଭୋକିଲା ଲୋକର ଭୋକ ମେଣ୍ଟାଇବ ବୋଲି ଷ୍ଟେସନ ବଜାର କମିଟିର ସମ୍ପାଦକ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆଗକୁ ରାଜଧାନୀ ତଥା ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କରେ ଏହି ‘ହାପି ଫ୍ରିଜ’ର ସ୍ଥାପନା କରାଯିବ ।

Leave A Reply

Your email address will not be published.