Latest Odisha News

BREAKING NEWS

ରାଜନୀତିରୁ ସନ୍ନ୍ୟାସ ନେବେ କି ସୋନିଆ ? କାହିଁକି କହିଲେ ଏମିତି କଥା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ସୋନିଆ ଗାନ୍ଧି । କଂଗ୍ରେସ ଅଧିବେଶନରେ  ଅଭିଭାଷଣ ସମୟରେ ସେ ଏମିତି କିଛି ଇସାରା ଦେଇଛନ୍ତି ।  ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି କହିଥିଲେ, ‘ମୁଁ ବହୁତ ଖୁସି ଯେ, ଭାରତ ଯୋଡୋ ଯାତ୍ରା ସହ ମୋର ଇନିଂସ ଶେଷ ହେବ ।’ ସେତିକି ନୁହେଁ ‘ଏହା ଦଳର ଏକ ଟର୍ଣ୍ଣିଂ ପଏଣ୍ଟ ହେବ’ ବୋଲି ମଧ୍ୟ ସେ କହିଛନ୍ତି ।

ରାୟପପୁରେ ଚାଲିଛି  କଂଗ୍ରେସର ୮୫ତମ ସାଧାରଣ ଅଧିବେଶନ । ଏହି  ୩ ଦିନିଆ ସମ୍ମିଳନୀରେ ଶନିବାର ୨ୟ ଦିନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ୧୫,୦୦୦ ଦଳୀୟ ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ, ଭାରତ ଯୋଡା ଯାତ୍ରା ସହିତ ତାଙ୍କ ଇନିଂସ ଶେଷ ହୋଇଥିବାରୁ ସେ ଖୁବ ଖୁସି ଅଛନ୍ତି। ସୋନିଆ ଗାନ୍ଧି କହିଥିଲେ ଯେ, ଡ. ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ୱରେ ୨୦୦୪ଏବଂ ୨୦୦୯ ରେ ଆମର ବିଜୟ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା। ଏହା ପ୍ରମାଣିତ କରୁଛି ଯେ, ଦେଶର ଲୋକମାନେ ପରସ୍ପର ଭାଇଚାରା, ସହନସୀଳତା ଏବଂ ସମାନତା ପାଇଁ ଅଧିକ ଉଲ୍ଲସିତ।

ଭାରତ ଯୋଡୋ ଯାତ୍ରାରେ ଯେଉଁ କର୍ମୀମାନେ ସାମିଲ ହୋଇଥିଲେ ସେମାନଙ୍କୁ ମଧ୍ୟ ସୋନିଆ ଧନ୍ୟବାଦ ଦେଇଥିଲେ । ବିଶେଷ ଧନ୍ୟବାଦ ରାହୁଲଙ୍କୁ ଦେଇ କହିଥିଲେ, ତାଙ୍କର ନିଷ୍ଠା ଓ ନେତୃତ୍ୱ ଏହି ଯାତ୍ରାର ସଫଳତା ପାଇଁ ବିଶେଷ ଗୁରୁତ୍ୱପୂର୍ଣ ଥିଲା ।

ତେବେ ଆଗାମୀ  ଲୋକସଭା ନିର୍ବାଚନରେ ସେ ଉତ୍ତର ପ୍ରଦେଶ ରାଏବରେଲିରୁ ପୁଣି ଛିଡା ହେବେ ନା ଏହି ସିଟକୁ ଝିଅ ପ୍ରିୟଙ୍କାଙ୍କୁ ଦେବେ ୭୬ ବର୍ଷ ବୟସ୍କା ସୋନିଆ ଏକଥା ସ୍ପଷ୍ଟ କରିନାହାନ୍ତି  ।

ଅଭିଭାଷଣରେ ସେ  ବିଜେପିକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ।  ସୋନିଆ କହିଛନ୍ତି ଯେ, ଦଳ ଘୃଣାର ନିଆଁକୁ ଇନ୍ଧନ ଯୋଗାଉଛି  । ସଂଖ୍ୟାଲଘୁ, ଦଳିତ, ଆଦିବାସୀ, ମହିଳାମାନଙ୍କୁ ଅତି ନିଷ୍ଠୁର ଭାବେ ଆକ୍ରମଣ କରୁଛି।

ତାଙ୍କର ରାଜନୀତିକୁ ପ୍ରବେଶ କରିବାର ଦିନ ଏବଂ ଆଜି ଭିତରେ ଥିବା ସମୟ ଓ ସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ, ସେଦିନରୁ ଆଜି ପର୍ଯ୍ୟନ୍ତ ଆମେ ଅନେକ ସଂଘର୍ଷ କରି ଆସିଛୁ । ଗୁରୁତ୍ୱପୂର୍ଣ୍ଣ ସମୟରେ ସମସ୍ତେ ଦଳ ପାଇଁ, ଦେଶ ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ନେଇଛନ୍ତି । କଂଗ୍ରେସ ଖାଲି ଗୋଟିଏ ରାଜନୈତିକ ଦଳ ନୁହେଁ । ଆମେ ଗୋଟିଏ ଗାଡି ଯାହା ସାହାଯ୍ୟରେ ଭାରତ ସ୍ୱାଧୀନତା, ସମାନତା, ନ୍ୟାୟ  ଏବଂ ଭାତୃତ୍ୱଭାବ ପାଇଁ ଲଢିବ  ।ଏ ରାସ୍ତା ଏତେ ସହଜ ନୁହେଁ । ହେଲେ ମୋର ଅନୁଭୂତି କହୁଛି, ବିଜୟ ଆମର ହିଁ ହେବ ।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱକୁ ସମର୍ଥନ କରି ସେ କହିଥିଲେ, ଦେଶର ସ୍ୱାର୍ଥ ପାଇଁ କଂଗ୍ରେସ ଲଢ଼େ‌ଇ କରିବ। କର୍ମୀମାନେ ହେଉଛନ୍ତି କଂଗ୍ରେସର ଶକ୍ତି। ଆମକୁ ଶୃଙ୍ଖଳା ସହ କାର୍ଯ୍ୟ କରିବାକୁ ପଡିବ। ଆମକୁ ଆମର ବାର୍ତ୍ତା ପହଞ୍ଚାଇବାକୁ ପଡିବ। ଏହି ଯାତ୍ରାରେ ଆମେ ସଫଳ ହେବା ବୋଲି ସେ କହିଥିଲେ ।

Leave A Reply

Your email address will not be published.