ମୁମ୍ବାଇ: ମୁମ୍ବାଇରେ ମହିଳା ପାଇଲଟଙ୍କ ଆତ୍ମହତ୍ୟା ମାମଲାରେ ନୂଆ ତଥ୍ଯ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ପ୍ରେମିକ ତାଙ୍କୁ ହଇରାଣ କରିବା ସହ ଅପମାନିତ ମଧ୍ଯ କରୁଥିଲେ।
ଝିଅର ଦାଦାଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ନଭେମ୍ବର ୨୬ରେ ପ୍ରେମିକ ଆଦିତ୍ୟ ପଣ୍ଡିତଙ୍କୁ ଗିରଫ କରିଥିଲା। ମହିଳା ଜଣକ ହେଉଛନ୍ତି ସୃଷ୍ଟି ତୁଲି, ଯିଏକି ଏୟାର ଇଣ୍ଡିଆରେ ଜଣେ ପାଇଲଟ ଥିଲେ। ନଭେମ୍ବର ୨୫ରେ ସୃଷ୍ଟିଙ୍କ ମୃତଦେହ ତାଙ୍କର ମୁମ୍ବାଇ ଫ୍ଲାଟରୁ ମିଳିଥିଲା। ତେବେ ସେ ଡାଟା କେବୁଲରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।
ସୃଷ୍ଟିଙ୍କ ଦାଦା ବିବେକ କୁମାର ତୁଲି ପୱଇ ଥାନାରେ ଏଫଆଇଆର ଦେଇଥିଲେ। ଗତ ବର୍ଷ ନଭେମ୍ବରରେ ଆଦିତ୍ୟ, ସୃଷ୍ଟି ଏବଂ ତାଙ୍କ ଭଉଣୀ ରାଶିକୁ ତାଙ୍କ ଦାଦାଙ୍କ କାରରେ ସପିଂ କରାଇବାକୁ ନେଇଥିଲେ। ତେବେ ସେଠାରେ ହିଁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଆଦିତ୍ୟ ରାଶି ଆଗରେ ସୃଷ୍ଟିଙ୍କ ସହ ଦୁର୍ବ୍ୟବହାର କରିବା ସହ ରାଗରେ କାରଟିକୁ ନେଇ ଅନ୍ୟ ଏକ ଗାଡି ସହ ଧକ୍କା କରିଦେଇଥିଲା। ତେବେ କାରକୁ ଧକ୍କା କରିଥିଲେ ମଧ୍ଯ ଆଦିତ୍ୟଙ୍କୁ କୌଣସି ଫରକ ପଡିନଥିବା କଥା ଦାଦା ବିବେକ କୁମାର କହିଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚରେ ଆଦିତ୍ୟ ଏବଂ ସୃଷ୍ଟି ଗୁରୁଗ୍ରାମରେ ନିଜ ସାଙ୍ଗମାନଙ୍କ ସହିତ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ।ଯେଉଁଠାରେ ସେ ସୃଷ୍ଟିଙ୍କୁ ନନ୍ ଭେଜ୍ ବଦଳରେ ଭେଜ୍ ଖାଦ୍ୟ ଖାଇବାକୁ ବାଧ୍ଯ କରିଥିଲେ। ଏହାର କିଛି ସମୟ ପରେ ସୃଷ୍ଟି ରାଶିଙ୍କୁ ଫୋନ କରି କହିଥିଲେ ଯେ ଆଦିତ୍ୟ ତାଙ୍କୁ ରାସ୍ତାରେ ଏକୁଟିଆ ଛାଡି ଘରକୁ ପଳାଇଛନ୍ତି।
ଆଦିତ୍ୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ଦୁଃଖରେ ଥିଲେ ମଧ୍ୟ ସେ ତାଙ୍କୁ ଛାଡିବାକୁ ଚାହୁଁନଥିଲେ। ଥରେ ଆଦିତ୍ୟଙ୍କ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ସୃଷ୍ଟିଙ୍କ ଉପରେ ଚାପ ପକାଇଥିଲେ କିନ୍ତୁ ପାଇଲଟ ସୃଷ୍ଟିଙ୍କର ସେଦିନ ଏକ ବିମାନ ଉଡାଣ ଡ୍ୟୁଟି ଥିଲା। ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।