ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୬ ପରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏବେ ସେ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମାଙ୍କୁ ଡେଟ୍ କରୁଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମାହିକା ଶର୍ମାଙ୍କ ବିବାହ ତାରିଖ ଫାଇନାଲ ହୋଇଛି। ଦୁହେଁ ମେ ୨୦୨୬ରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏହି ଉତ୍ସବରେ କେବଳ ଦୁହିଁଙ୍କ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ଯୋଗଦେବେ। ଯଦିଓ ଏହି ଖବରକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ମାହିକା ଶର୍ମାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ୩୧ ମେ ୨୦୨୦ରେ ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ତା’ପରେ ଏହି ଦମ୍ପତି ୧୪ ଫେବୃଆରୀ ୨୦୨୩ରେ ରାଜସ୍ଥାନର ଉଦୟପୁରରେ ଏକ ପାରମ୍ପରିକ ରୀତିନୀତି ଅନୁସାରେ ପୁନଃ ବିବାହ କରିଥିଲେ। ସେମାନଙ୍କର ଅଗସ୍ତ୍ୟ ନାମକ ଏକ ପୁଅ ଅଛି।
ପ୍ରାୟ ଚାରି ବର୍ଷ ବିବାହ ପରେ ହାର୍ଦ୍ଦିକ ଏବଂ ନତାଶା ପାରସ୍ପରିକ ସମ୍ମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଜୁଲାଇ ୨୦୨୪ରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା। ସେବେଠାରୁ ହାର୍ଦ୍ଦିକଙ୍କ ନାମ ମାହିକା ଶର୍ମାଙ୍କ ସହ ଯୋଡା ହୋଇଛି।