Latest Odisha News

ହରିୟାଣା ନିର୍ବାଚନ ତାତି: ବିଜେପିର ସ୍ବତନ୍ତ୍ର ରଣନୀତି

ଚଣ୍ଡିଗଡ: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ସରଗରମ ହୋଇଛି ରାଜନୈତିକ ବାତାବରଣ । ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳ । ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଶାସକ ବିଜେପି ଏଥର ନିର୍ବାଚନରେ ସଂପୂର୍ଣ୍ଣ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଥିବା ଜଣାପଡୁଛି । ରାଜ୍ୟର ଅଣ ଜାଠ୍ ଓ ଦଳିତ ଭୋଟରଙ୍କ ଉପରେ ବିଜେପି ଏଥର ଫୋକସ କରିପାରେ । କୁହାଯାଉଛି ଯେ, ବିଜେପି ଏଥର ଜାତି ସମୀକରଣକୁ ମଧ୍ୟ ଧ୍ୟାନରେ ରଖି ଟିକେଟ ବଂଟନ କରିବ । କାରଣ ଜାତିଭିତ୍ତିକ ଜନଗଣନା ଦାବି କରି ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଭୋଟ୍ ହାତେଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ଆଉ କଂଗ୍ରେସ ରଣନୀତିର ଜବାବ ପାଇଁ ବିଜେପି ମଧ୍ୟ ଓବିସି ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରୟାସ କରୁଛି । ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ଓବିସି ନାୟବ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଏ ନେଇ ସଂକେତ ଦେଇସାରଥିଲା । ବିଜେପି ପ୍ରାର୍ଥୀ ତାଲିକାରେ ଓବିିସିଙ୍କ ପ୍ରାଧାନ୍ୟ ରହିବା ନେଇ ଚର୍ଚ୍ଚା ହେଉଛି ।

ଅନେକ ମନ୍ତ୍ରୀ ଓ ବିଧାୟକଙ୍କ କଟିବ ଟିକେଟ

ରାଜନୀତିରେ ପରିବାରବାଦର ବିରୋଧ କରିଆସିଥବା ବିଜେପି ଏଥର ହରିୟାଣା ନିର୍ବାଚନରେ କିଛି ନେତାଙ୍କ ପୁଅ -ଝିଅଙ୍କୁ ଟିକେଟ ଦେଇପାରେ । ହେଲେ ବିଜୟ ସମ୍ଭାବନା, ଲୋକପ୍ରିୟତା ଓ ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ହିଁ ବିଜେପି ଟିକେଟ ଦେବ । ସମ୍ଭାବ୍ୟ ସରକାର ବିରୋଧୀ ହାୱାର ମୁକାବିଲା ପାଇଁ ଅନେକ ବିଧାୟକ ଓ କିଛି ମନ୍ତ୍ରୀଙ୍କ ଟିକେଟ ଏଥର କଟିପାରେ ।

କଂଗ୍ରେସରେ ହୁଡ୍ଡା ବନାମ ଶୈଳଜା ଶିବିର ଛକାପଞ୍ଝା

ବିଧାନସଭା ନିର୍ବାଚନ ପାଇଁ ରଣନୀତି ଚୂଡାନ୍ତ କରିବାରେ ବ୍ୟସ୍ତ କଂଗ୍ରେସ । ଲୋକସଭା ନିର୍ବାଚନରେ ହରିୟାଣାର ୧୦ ଆସନରୁ ୫ଟିରେ ବିଜୟୀ ହୋଇଥିବାରୁ କଂଗ୍ରେସର ମନୋବଳ ଦୃଢ ରହିଛି । କିନ୍ତୁ କଂଗ୍ରେସ ପାଇଁ ମୁଣ୍ଡବ୍ୟଥା ହୋଇଛି ଦଳୀୟ ଗୋଷ୍ଠୀ କନ୍ଦଳ । ପୂୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୁମାରୀ ଶୈଳଜା ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା କଂଗ୍ରେସ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା  ଓ ତାଙ୍କ ସାଂସଦ ପୁଅ ଦୀପେନ୍ଦ୍ର ଏଥର ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେସରେ ଅଛନ୍ତି । କିନ୍ତୁ କୁମାରୀ ଶୈଳଜା ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପନ କରି ହୁଡ୍ଡା ଶିବିରକୁ ଚ୍ୟାଲେଂଜ କରିଛନ୍ତି । ଏଣେ ବରିଷ୍ଠ ନେତା ରଣଦୀପ ସିଂ ସୁର୍ଜେୱାଲା ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିବାରୁ କଂଗ୍ରେସର ଚିନ୍ତା ବଢିଯାଇଛି ।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ପହିଲାରେ ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟ୍ ନିଆଯିବ । ଅକ୍ଟୋବର ୪ ତାରିଖରେ ଭୋଟ୍ ଗଣତି ହେବ ।

 

Comments are closed.