Latest Odisha News

BREAKING NEWS

ଦୁର୍ନୀତି…କେତେ ବାଟ ଗଲା ତଦନ୍ତ?

ଭୁବନେଶ୍ବର: ୨୦୨୪ ନିର୍ବାଚନ ବେଳେ ବିଜେପିର ଅନ୍ୟ ଏକ ବଡ଼ ପ୍ରସଙ୍ଗ ଥିଲା ଦୁର୍ନୀତି । ପୂର୍ବ ବିଜେଡି ସରକାର ନାଁରେ ଦୁର୍ନୀତି ଅଭିଯୋଗ ଆଣି ଲଗାତର ଟାର୍ଗେଟ୍ କରିଥିଲେ ବିଜେପି ନେତା । ନିର୍ବାଚନୀ ରାଲିରେ ବର୍ଷିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା । ଆଶା କରାଯାଉଥିଲା, ସରକାରକୁ ଆସିବା ପରେ ଦୁର୍ନୀତି ଫାଇଲ୍ ଖୋଲାହେବ । ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହେବ । ହେଲେ ଗତ ବର୍ଷକ ଭିତରେ ସେଭଳି ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିନି କି ବିଜେଡିର ହେଭିଓ୍ବେଟ୍ ନେତାଙ୍କ ସହ ଲିଙ୍କ ନେଇ ପର୍ଦ୍ଦାଫାସ ହୋଇପାରିନି । ଖାଲି ସେତିକି ନୁହେଁ ନିର୍ବାଚନ ବେଳେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ବିଜେପି, କ୍ଷମତାକୁ ଆସିବା ପରେ ତାଙ୍କୁ ନେଇ କୌଣସି ଆକ୍ସନ୍ ନେଇନି । ଦେଖିବା ମୋହନ ସରକାର ରିପୋର୍ଟ କାର୍ଡ, ନମ୍ବର-୨ ।

ଖଣି ଦୁର୍ନୀତି…ଆକ୍ସନ୍ କେବେ?

ସରକାରକୁ ଆସୁ ଆସୁ ଖଣି ଦୁର୍ନୀତି ନେଇ ଜନ୍ମମାଟି କେନ୍ଦୁଝରକୁ ପ୍ରଥମ ଗସ୍ତରେ ହୁଙ୍କାର ଭରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ବିଜେଡି ସରକାର ସମୟରେ ହୋଇଥିବା ଖଣି ଦୁର୍ନୀତିର ଚେର ଖୋଜିବେ । କିଛି ଅଣଓଡିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି । ସମସ୍ତଙ୍କୁ ଜେଲ୍ ପଠାଇବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ସରକାରର ବର୍ଷେ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଦୁର୍ନୀତି ଜାଲରେ କୌଣସି ହେଭିଓ୍ବେଟ୍ ନେତା ପଡିନାହାନ୍ତି । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ର ଗିରଫ ହୋଇଥିଲେ । ଚର୍ଚ୍ଚା ହେଲା, ରାଜାଙ୍କୁ ଧରି ପୂରା ନେଟଓ୍ବର୍କର ପର୍ଦ୍ଦାଫାସ କରିବେ ସରକାର । ହେଲେ ସେଭଳି କିଛି ହେଲାନି ।

ପାଣ୍ଡିଆନଙ୍କୁ ଏତେ କହିଲେ…ଆକ୍ସନ୍ କେବେ?

ପୂର୍ବତନ ଫାଇଭ୍-ଟି ସଚିବ ତଥା ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ଗତ ନିର୍ବାଚନରେ ଟାର୍ଗେଟ୍ କରିଥିଲେ ବିଜେପି ନେତା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅପେକ୍ଷା ପାଣ୍ଡିଆନଙ୍କୁ ବେଶୀ ନିଶାନା ବନାଇଥିଲେ । ତାଙ୍କ ହେଲିକପ୍ଟର ଗସ୍ତ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ ଖୋଳତାଡ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା କହିଥିଲେ । କେବଳ ସେତିକି ନୁହେଁ ବିନା ଗାଇଡଲାଇନରେ କୋଟି କୋଟି ଟଙ୍କା ପାଣ୍ଠି ମଞ୍ଜୁର ଭଳି ଅନେକ ଅନିୟମିତତା ଅଭିଯୋଗ ଆସିଥିଲା । ହେଲେ ବର୍ଷେ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପର କଥା ଭିକେ ପାଣ୍ଡିଆନଙ୍କୁ ତଦନ୍ତ ପରିସରଭୁକ୍ତ ବି କରିନାହାନ୍ତି ବିଜେପି ସରକାର।

ତଦନ୍ତ ବାହାରେ ବିଜେଡି ହେଭିଓ୍ବେଟ୍

କେବଳ ଭିକେ ପାଣ୍ଡିଆନ ନୁହଁନ୍ତି ବିଜେଡିର ଯେଉଁ ହେଭିଓ୍ବେଟ୍ ନେତାଙ୍କ ନାଁରେ ଅଭିଯୋଗ ଆଣୁଥିଲେ ବିଜେପି ନେତା, ସେମାନେ ତଦନ୍ତ ପରିସର ବାହାରେ ରହିଛନ୍ତି । ଯାଜପୁର କୁସୁମା ପ୍ରକଳ୍ପ ଭିତରେ ନିର୍ମିତ ଆଲିସାନ ବଙ୍ଗଳା ହେଉ କି ସରକାରୀ ବାସଭବନରେ ବେଆଇନ ନିର୍ମାଣ ଅଭିଯୋଗ । ଦିନେ ବିଜେଡିରେ ନମ୍ବର ଟୁ ଥିବା ବବିଙ୍କୁ ନେଇ ଅଭିଯୋଗ ତ ଆସିଛି, ହେଲେ ନା ତଦନ୍ତ ଆଗେଇଛି ନା ଆକ୍ସନ୍ ହୋଇଛି । କୁସୁମାକୁ ନେଇ ଅନେକ ହୋହଲ୍ଲା ହେଲା, ହେଲେ ଧୀରେ ଧୀରେ ସବୁ ଦବିଗଲା ।  ସେହିପରି ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବାକୁ ବେଆଇନ୍ ଭାବେ ଚଲାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନି । ସେହିପରି ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ନେଇ ସାନି ତଦନ୍ତ ଆରମ୍ଭ ହୋଇଛି । ପୁଣି କ୍ରାଇମବ୍ରାଞ୍ଚ ଖୋଳତାଡ ତ କରିଛି, ହେଲେ ସେମିତି କିଛି ନୂଆ ଦିଗ ବାହାରିନି ।

ବିଜେପି ସରକାର ଗତ ବର୍ଷକ ମଧ୍ୟରେ ଅନେକ ରେଡ୍ କରିଛନ୍ତି । ଭିଜିଲାନ୍ସ ରେଡ୍‌ରେ କୋଟିପତି ଇଞ୍ଜିନିୟର ଧରାପଡ଼ିବା ଘଟଣାରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ହେଲେ ନିର୍ବାଚନ ବେଳେ ଯେଉଁ ସବୁ  ମହାଦୁର୍ନୀତିର ପର୍ଦ୍ଦାଫାସ କରିଥିଲା ବିଜେପି, ଏବେବି ସେସବୁ ଉପରୁ ପରଦା ଉଠିପାରିନି । ବିଜେଡିର କୌଣସି ହେଭିଓ୍ବେଟ୍ ନେତା ଦୁର୍ନୀତି ଫାସରେ ଫସିନାହାନ୍ତି କି ସେସମୟର କୌଣସି ବରିଷ୍ଠ ଅଧିକାରୀଙ୍କ ଉପରେ ଆକ୍ସନ ହୋଇନି । ଓଲଟା ବିଜେଡି ସରକାର ବେଳେ ଯେଉଁ ଅଧିକାରୀଙ୍କ ଇକୋସିଷ୍ଟମକୁ ନେଇ ବିଜେପି ଅଭିଯୋଗ କରୁଥିଲା ସେମାନେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । କିଛି ଅଧିକାରୀଙ୍କୁ ତ ପଦୋନ୍ନତି ବି ମିଳିଛି । ତେଣୁ ପ୍ରଶ୍ନ ଉଠୁଛି, ବିଜେପି ନେତାଙ୍କ ଦୁର୍ନୀତି ବିରୋଧୀ ହୁଙ୍କାରକୁ ବିଶ୍ବାସ କରିବେ ତ ଜନତା?

Comments are closed.