Latest Odisha News

BREAKING NEWS

ବର୍ଷେ ପରେ ଏଇଠି ଓଡିଆ ଅସ୍ମିତା?

ଭୁବନେଶ୍ବର: ବର୍ଷେ ତଳେ ଐତିହାସିକ ରାୟ ଦେଇଥିଲା ଓଡିଶା। ଓଡିଆ ଅସ୍ମିତାର ନାରା ଲଗାଇଥିଲେ ବିଜେପି ନେତା, ତ ମନଖୋଲି ସମର୍ଥନ ଅଜାଡିଥିଲେ ଜନତା। ୨୦୨୪ ନିର୍ବାଚନରେ ଖୁବ୍ ଚର୍ଚ୍ଚାରେ ଥିଲା ଓଡିଆ ଅସ୍ମିତା। କହିବାକ ଗଲେ, ପୂରା ନିର୍ବାଚନରେ ପାଲଟିଥିଲା ଗେମଚେଞ୍ଜର। ଓଡିଆ ସ୍ବାଭିମାନ ସମର୍ଥନରେ ଜନାଦେଶ ଆସିଲା, ପ୍ରଥମ ଥର ପାଇଁ କ୍ଷମତାକୁ ଆସିଲା ବିଜେପି। ସରକାର ଗଠନର ବର୍ଷେ ପୂର୍ତ୍ତି ଅବସରରେ, ଓଡିଆ ଅସ୍ମିତାର ସୁରକ୍ଷା ଦିଗରେ କେତେ ସଫଳ ହୋଇଛନ୍ତି ସରକାର? ଦେଖିବା ମୋହନ ସରକାର ରିପୋର୍ଟ କାର୍ଡ, ନମ୍ବର-୧।

ଓଡିଆ ଅସ୍ମିତା…କେତେ ସଫଳ?

ବିଜେପି ସରକାରକୁ ଆସିବା ପରେ ଓଡିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠି ମଂଜୁର କରିଥିଲେ। ଏହି ପାଣ୍ଠିରେ ଓଡିଆ ଅସ୍ମିତା ଭବନ ନିର୍ମାଣ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବାର ଥିଲା। ତାଳପତ୍ର ପୋଥି ସଂଗ୍ରହାଳୟ ସହ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା ହେବାର ଯୋଜନା ଥିଲା। ହେଲେ ସରକାରକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଅସ୍ମିତାର ସୁରକ୍ଷା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ସରକାର। ନା ସରକାରୀ କାମରେ ଓଡିଆ ଭାଷାର ବ୍ୟବହାର ହୋଇପାରିଛି ନା ଅନୁବାଦ ଏକାଡେମୀ ପ୍ରତିଷ୍ଠା। କେବଳ ଓଡିଆ ପକ୍ଷ ପାଳନ କରିଛନ୍ତି ସରକାର।

ଓଡିଆ ବନାମ ଅଣଓଡିଆ

ଗତ ନିର୍ବାଚନରେ ଅଣଓଡିଆ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କୁ ନେଇ ପୂର୍ବତନ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଜେପି ନେତା। ହେଲେ ନିଜେ କ୍ଷମତାକୁ ଆସିବା ପରେ ଅନେକ ବିଭାଗରେ ଏବେବି ଅଣଓଡିଆ ଅଧିକାରୀ ଗୁରୁ ଦାୟିତ୍ବ ସମ୍ଭାଳୁଛନ୍ତି। ଠିକ୍ ସେହିପରି ରାଜ୍ୟ ସରକାର ଠିକାଦାରଙ୍କୁ ହତାଦାର କରୁଥିବା ଅଭିଯୋଗ ଆଣିଛି ଅଲ ଓଡିଶା କଣ୍ଟ୍ରାକ୍ଟର ଓ୍ୱେଲଫେୟାର ଆସୋସିଏସନ । ଓଡିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର ଅଣଓଡିଆ ଠିକାଦାରଙ୍କୁ ସୁଯୋଗ ଦେଉଥିବା ଅଭିଯୋଗ ହେଉଛି।

କେତେବାଟ ଗଲା ଦୁର୍ନୀତି ତଦନ୍ତ?

ନିର୍ବାଚନ ବେଳେ ଭିକେ ପାଣ୍ଡିଆନଙ୍କ ସହ ବିଜେଡିର ହେଭିଓ୍ବେଟ୍ ନେତାଙ୍କୁ ଟାର୍ଗେଟ୍ କରିଥିଲେ ବିଜେପି ନେତା। ଦୁର୍ନୀତିର କଳାଫର୍ଦ୍ଦ ଖୋଲି କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସରକାର ଗଠନର ବର୍ଷେ ଭିତରେ ନା ସେଭଳି ଦୁର୍ନୀତି ନେଇ ଖୋଳତାଡ଼ ଆରମ୍ଭ ହୋଇଛି ନା କାର୍ଯ୍ୟାନୁଷ୍ଠାନ। ଛୋଟ ମୋଟ ରେଡ୍ ଓ ଛୋଟ ନେତା ଧରାପଡିଛନ୍ତି ସତ ହେଲେ ହେଭିଓ୍ବେଟଙ୍କ ପାଖରେ ପହଞ୍ଚି ପାରିନାହାନ୍ତି ସରକାର। ଯେଉଁମାନଙ୍କୁ ଓଡିଆଙ୍କ ସଂପତି ହରିଲୁଟ କରିଥିବା କହୁଥିଲେ, ସେମାନଙ୍କ ବିରୋଧରେ ଆକ୍ସନ୍ ନେଇନାହାନ୍ତି ବିଜେପି ସରକାର।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଦିଗରେ ଗତ ବର୍ଷେ ମଧ୍ୟରେ ସେଭଳି ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର। ସେହିପରି ବିଭିନ୍ନ ବୋର୍ଡ ଓ ନିଗମରେ ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ରାଜ୍ୟ ବିକାଶ କାମ ବି ସେଭଳି ଆଗେଇ ପାରିନି। ପୋଲାଭରମ, ମହାନଦୀ, କୋଟିଆ ପରି ରାଜ୍ୟର ପୁରୁଣା ସମସ୍ୟା ସମାଧାନ ଦିଗରେ ବି ଅଗ୍ରଗତି ହୋଇନି।

Comments are closed.