Latest Odisha News

ଓଡିଶାରେ ଭିକେ ପାଣ୍ଡିଆନ, ବିହାରରେ ମନୀଷ ବର୍ମା !

ଭୁବନେଶ୍ବର: ବିହାରରେ ଓଡିଶା ଫର୍ମୁଲା। ଓଡିଶାରେ ଭିକେ ପାଣ୍ଡିଆନ, ବିହାରରେ ମନୀଷ ବର୍ମା । ଆଇଏଏସ୍ ମନୀଷ ବର୍ମାଙ୍କୁ ଜେଡିୟୁର ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯିବା ପରେ ନବୀନଙ୍କ ରାସ୍ତାରେ ନୀତିଶ ଆଗେଇଥିବା ନେଇ ଚର୍ଚ୍ଚା ହେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉତ୍ତରାଧିକାରୀ ଭାବେ ବି ମନୀଷ ବର୍ମାଙ୍କ ନାଁ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ମନୀଷ ନାଳନ୍ଦା ଲୋକସଭାରୁ ଲଢିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ତାହା କେବଳ ଚର୍ଚ୍ଚାରେ ରହିଗଲା । ମାତ୍ର ଦେଢ ବର୍ଷ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମନୀଷ ବର୍ମାଙ୍କ ନିଯୁକ୍ତିକୁ ନେଇ ସରଗରମ ହେଲାଣି ବିହାର ରାଜନୀତି।

ମନୀଷ ବର୍ମା କିଏ?

ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ମନୀଷ ବର୍ମା ୨୦୧୮ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହ ଜିଲ୍ଲା ନାଳନ୍ଦାର ବାସିନ୍ଦା ମନୀଷ ବର୍ମା ୨୦୧୨ମସିହାରେ ଆନ୍ତଃରାଜ୍ୟ ଡେପୁଟେସନରେ ନିଜ ରାଜ୍ୟକୁ ଫେରିଥିଲେ। ସେବେଠାରୁ ସେ କ୍ରମାଗତ ବିହାରରେ ଚାକିରି କରୁଥିଲେ। ସେ ପାଟଣା ଏବଂ ପୂର୍ଣ୍ଣିଆ ଜିଲ୍ଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ମନୀଷ ବର୍ମା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭଳି ଜାତିରେ କୁର୍ମି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ମଧ୍ୟ ମନୀଷ ବର୍ମା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତର ଥିଲେ । ମନୀଷ ଦିଲ୍ଲୀ ଡେପୁଟେସନରେ ଯାଇଥିବା ବେଳେ ସେ ଭିଆରସ୍ ନେଇ ବିହାର ଆସିଥିଲେ। ନୀତିଶ ତାଙ୍କୁ ପଦ ଓ କ୍ଷମତା ଦେଇଥିଲେ। ଏହାପରେ ମନୀଷ ବର୍ମା ଜେଡିୟୁର ସଂଗଠନ ସହ ଜଡିତ ହୋଇଥିଲେ । କୁହାଯାଉଛି, ବିହାରରେ ଲୋକସଭା ନିର୍ବାଚନରେ ଜେଡିୟୁର ଭଲ ପ୍ରଦର୍ଶନ ପଛରେ ମନୀଷ ବର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ନୀତିଶ, ନବୀନଙ୍କ ପଲିଟିକାଲ୍ ଇନିଂସ

ନୀତିଶ କୁମାର ଓ ନବୀନ ପଟ୍ଟନାୟକ ଏକାସାଙ୍ଗରେ ହିଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୦୦ ମସିହା ମାର୍ଚ୍ଚ ୩ରେ ନୀତିଶ ପ୍ରଥମ ଥର ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ତ ସେହିବର୍ଷ ମାର୍ଚ୍ଚ ୫ରେ ସିଏମ୍ ଭାବେ ଶପଥ ନେଇଥିଲେ ନବୀନ । ଉଭୟ ନୀତିଶ ଓ ନବୀନଙ୍କ ରାଜନୀତିରେ ବିଜେପି ହିଁ ରହିଥିଲା କମନ ଫ୍ୟାକ୍ଟର । ନବୀନ ପଟ୍ଟନାୟକ ୧୧ବର୍ଷ ଧରି ବିଜେପି ସହ ଏକାଠି ରହିଥିଲେ ତ ନୀତିଶ କୁମାର କେତେବେଳେ ବନ୍ଧୁ ତ କେତେବେଳେ ବିରୋଧୀ ସାଜିଥିଲେ। ଏବେ ଓଡିଶାରେ ବିଜେପି ନବୀନଙ୍କୁ ଗାଦିଚ୍ୟୁତ କରିଛି ତ ନୀତିଶ ବିଜେପିର ମେଣ୍ଟ ସହଯୋଗୀ ରହିଛନ୍ତି ।

ପାଣ୍ଡିଆନ-ମନୀଷ ଅନେକ ସମାନତା

ମନୀଷ ବର୍ମା ବ୍ୟୁରୋକ୍ରାଟରୁ ରାଜନୀତିକୁ ଆସିଥିବା ନୀତିଶ କୁମାରଙ୍କ ପ୍ରଥମ ସାଥୀ ନୁହନ୍ତି । ଏହି ମାମଲାରେ ନୀତିଶଙ୍କର ଲମ୍ବା ଅଭିଜ୍ଞତା ରହିଛି । ପ୍ୟାରୀ ହୁଅନ୍ତୁ କି ପାଣ୍ଡିଆନ, ନବୀନଙ୍କର ବି ଅଫିସରଙ୍କ ଉପରେ ଭରସା ରହିଛି। ମନୀଷ ବର୍ମାଙ୍କ ଭଳି ଭିକେ ପାଣ୍ଡିଆନ ବି ବିଜେଡିର ସକ୍ରିୟ ସଦସ୍ୟତା ଗ୍ରହଣ କରିଥିଲେ । ମନୀଷ ବର୍ମା ଜେଡିୟୁରେ ନମ୍ବର ଟୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ପାଣ୍ଡିଆନ ବିଜେଡି ସରକାରରେ ନମ୍ବର ଟୁ ରହିଥିଲେ । ପାଣ୍ଡିଆନ ପଞ୍ଜାବରୁ ଓଡିଶା କ୍ୟାଡର ବଦଳାଇଥିଲେ  ତ ମନୀଷ ଆନ୍ତଃରାଜ୍ୟ ଡେପୁଟେସନରେ ନିଜ ରାଜ୍ୟ ବିହାର ଫେରିଥିଲେ ।

ଆରସିପି ସିଂହଙ୍କ ପରେ ମନୀଷ ବର୍ମା

ମନୀଷ ବର୍ମା ନୀତିଶ କୁମାରଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ଏଭଳି ଚର୍ଚ୍ଚା ଆରସିପି ସିଂହଙ୍କୁ ନେଇ ବି ହୋଇଥିଲା । ମନୀଷଙ୍କୁ ବି ଆରସିପି ସିଂହଙ୍କ ଭଳି ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି । ତେବେ ଆରସିପି ସିଂହଙ୍କ ଧୋକ୍କା ପରେ ମନୀଷଙ୍କୁ ଦଳରେ ସର୍ବେସର୍ବା କରିନପାରନ୍ତି ନୀତିଶ । ବାଲାନ୍ସ ରଖିବା ପାଇଁ ସଞ୍ଜୟ ଝାଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି । ପୂର୍ବ ଆଇଏଏସ ଅଧିକାରୀ ଆରସିପି ସିଂହ ବର୍ଷ ବର୍ଷ ଧରି ନୀତିଶଙ୍କ ସହ ଛାଇ ଭଳି ରହିଥିଲେ। ପୂର୍ବତନ ଅଧିକାରୀ ପଓ୍ବନ କୁମାର ବର୍ମା ବି ନୀତିଶଙ୍କ ଘନିଷ୍ଠ ରହିଥିଲେ । ତେବେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ବୟାନବାଜିକୁ ନେଇ ପ୍ରଶାନ୍ତ କିଶୋର ଓ ପଓ୍ବନ ବର୍ମାଙ୍କୁ ଜେଡିୟୁରୁ ବାହାର କରିଥିଲେ ନୀତିଶ। ତେବେ ପ୍ରଶ୍ନ ଉଠୁଛି, ପୂର୍ବରୁ ବ୍ୟୁରୋକ୍ରାଟଙ୍କ ସହ କାମ କରିବାର ଅଭିଜ୍ଞତା ରଖିଥିବା ନୀତିଶ କୁମାରଙ୍କ ପାଇଁ କେତେ ଲାଭ ଦେବ ଓଡିଶା ଫର୍ମୁଲା?

Comments are closed.