ଚେନ୍ନାଇ: ନବବିବାହିତ ଦମ୍ପତି ଶୀଘ୍ର ସନ୍ତାନ ଜନ୍ମ କରନ୍ତୁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟବାସୀଙ୍କୁ ଏଭଳି ଅନୁରୋଧ କରିଛନ୍ତି।
ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବାର ପରିଣାମ ରାଜ୍ୟକୁ ଆଗାମୀ ଦିନ ମାନଙ୍କରେ ଭୋଗିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। ଯଦି ଜନସଂଖ୍ୟା ଆଧାରରେ ସଂସଦୀୟ ଆସନକୁ ବଛାଯାଏ, ତେବେ ଏହା ତାମିଲନାଡୁ ପାଇଁ ଚିନ୍ତାର ବିଷୟ ପାଲଟିବ।
ସେ ଆହୁରି ମଧ୍ଯ କହିଛନ୍ତି ଯେ ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇବାକୁ କହୁଥିଲୁ କିନ୍ତୁ ବର୍ତ୍ତମାନ ପରିସ୍ଥିତି ଓଲଟା ହୋଇଯାଇଛି। ଯଦି ଜନସଂଖ୍ୟା ଆଧାରରେ ନିର୍ଦ୍ଧାରଣ କରାଯାଏ ତେବେ ତାମିଲନାଡୁରେ ଲୋକସଭା ଆସନ ଏବଂ ସଂସଦରେ ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ହୋଇଯିବ। ତେବେ ଏହି ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଗାମୀ ମାର୍ଚ୍ଚ ୫ରେ ସମସ୍ତ ଦଳର ଏକ ବୈଠକ ଡାକିଛନ୍ତି।
ଏହି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ୨୦୨୬ମସିହାରୁ ଆରମ୍ଭ ହେବାକୁ ଯାଉଛି। ତେବେ ଯଦି ଜନସଂଖ୍ୟା ଆଧାରରେ ଏହି ସୀମା ଗୁଡିକ ନିର୍ଦ୍ଧାରଣ କରାଯାଏ, ତେବେ ଏଥିଯୋଗୁଁ ଦକ୍ଷିଣ ଭାଗରେ ଥିବା ରାଜ୍ୟଗୁଡ଼ିକରେ ଲୋକସଭା ଆସନ ସଂଖ୍ୟା ହ୍ରାସ ହୋଇଯିବ। ଅପରପକ୍ଷରେ ଉତ୍ତରରେ ଥିବା ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା ବୃଦ୍ଧି ହୋଇପାରେ। ତେଣୁ ଦକ୍ଷିଣ ରାଜ୍ୟଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି।
Comments are closed.