Latest Odisha News

‘ଅସ୍ତ୍ରବିରତି ଓ କୂଟନୀତି ମାଧ୍ୟମରେ ୟୁକ୍ରେନ୍ ସମସ୍ୟା ସମ୍ଭବ’ : ମୋଦୀ

ଜାକାର୍ତ୍ତା : ଇଣ୍ଡୋନେସିଆରେ ଜି-୨୦ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ‘ୟୁକ୍ରେନ ସମସ୍ୟାକୁ ଶାନ୍ତି ମାଧ୍ୟମରେ ସମାଧାନ କରିବୁ’ ବୋଲି କହିଛନ୍ତି ମୋଦୀ । ଅସ୍ତ୍ରବିରତି ଓ କୂଟନୈତିକ ଏହାର ସମାଧାନର ମାର୍ଗ । ବୈଶ୍ୱିକ କ୍ଷେତ୍ରରେ ଜି-୨୦କୁ ପ୍ରଭାବଶାଳୀ କରିବା ଦିଗରେ ନେତୃତ୍ୱ ନେଇଥିବାରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ଓ୍ୱିଡୋଡୋଙ୍କୁ ସେ ସାଧୁବାଦ ଜଣାଇଥିଲେ ।

ଜଳବାୟୁ ପରିବର୍ତ୍ତନ, କୋଭିଡ୍ ମହାମାରୀ, ୟୁକ୍ରେନ ସମସ୍ୟା ଆଦିକୁ ମିଳିତ ସହଯୋଗରେ ସମାଧାନ କରିବାକୁ ହେବ । ଏସବୁ ସମସ୍ୟା ପାଇଁ ଗ୍ଲୋବାଲ ସପ୍ଲାଇ ଚେନ୍ କ୍ଷତିଗ୍ରସ୍ତ ହୋଇଛି । ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ଅନେକ ଦେଶର ଗରୀବ ନାଗରିକଙ୍କ ପାଇଁ ବଞ୍ଚିବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ଲୋକେ ରୋଜଗାରରୁ ବଞ୍ଚିତ ହୋଇଛନ୍ତି । ମହାମାରୀ ଲୋକଙ୍କ ଅଣ୍ଟା ଭାଙ୍ଗିଦେଇଛି । ଏପରିସ୍ଥିତିରେ ଆର୍ଥିକ କ୍ଷମତା ହରାଇଛନ୍ତି ଲୋକେ । ମିଳିତ ଜାତିସଂଘ ବି ଏନେଇ କିଛି କରିବାରେ ବିଫଳ ହୋଇଛି । ଉପଯୁକ୍ତ ରିଫର୍ମ ଆଣିବାରେ ଅସଫଳତା ମିଳିଛି । ତେଣୁ ଆଜି ଜି-୨୦ଠାରୁ ବିଶ୍ୱ ଅନେକ ଆଶା ରଖିଛି । ଏହି ଦେଶସମୂହର ପ୍ରାସଙ୍ଗିକତା ବଢିଛି ।

ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସେ କହିଛନ୍ତି, ଯୁଦ୍ଧ ବନ୍ଦ କରି କୂଟନୀତି ରାସ୍ତାକୁ ଫେରିବା ପାଇଁ ଉପାୟ ଖୋଜିବାକୁ ହେବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତତ୍କାଳୀନ ନେତୃବୃନ୍ଦ ଶାନ୍ତିର ମାର୍ଗ ଆପଣାଇଥିଲେ, ଆମକୁ ମଧ୍ୟ ତାହା ହିଁ କରିବାକୁ ହେବ ବୋଲି କହିଛନ୍ତି ମୋଦୀ । ବିଶ୍ୱରେ ଶାନ୍ତି, ସୌହାର୍ଦ୍ଦ୍ୟ ତଥା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଠୋସ୍ ଓ ସାମୂହିକ ସଙ୍କଳ୍ପ କରିବାକୁ ହେବ । ଏହା ସହିତ ଆସନ୍ତାବର୍ଷ ଭାରତରେ ଜି-୨୦ ସମ୍ମିଳନୀ ହେବାର ସେ ଆଶାପୋଷଣ କରିଥିଲେ । ଭାରତ ବୁଦ୍ଧ ଓ ଗାନ୍ଧୀଙ୍କ ପବିତ୍ର ଭୂମି ବୋଲି ମୋଦୀ ତାଙ୍କ ଭାଷଣରେ କହିଥିଲେ ।

Comments are closed.