ଭୁବନେଶ୍ୱର: ରାଜ୍ୟରେ କେତେ ଜଣ ନକଲି ଡାକ୍ତର ରହିଛନ୍ତି। ତାର ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ। ରାଜ୍ୟ ସରକାର ଏହାର ଉତ୍ତର ରଖି କହିଥିଲେ, ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଧାର୍ଯ୍ୟ ସମୟସୀମା ଉଲ୍ଲେଖ କରିନଥିଲେ ସରକାର। ଏହାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶାରେ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଏକ ନିର୍ଘଣ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସତ୍ୟପାଠ ପଢିବା ପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ ସିଡିଏମଓମାନଙ୍କୁ ଯାଞ୍ଚ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ହାଇକୋର୍ଟ ଶୁଣାଣି ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖକୁ ଫିକ୍ସ କରିବାକୁ କହିଛନ୍ତି।
ଫେବ୍ରୁଆରି ୨୦ ସୁଦ୍ଧା ଏ ସଂକ୍ରାନ୍ତରେ ଆଉ ଏକ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମାଲର ଶୁଣାଣି ପାଇଁ ହାଇକୋର୍ଟ ଆମିକସକ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି। ମାଲକାନଗିରି, ରାୟଗଡା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଥିବା ନେଇ ସୂଚନା ମିଳିଛି। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ଡାକ୍ତରଙ୍କ ତଥ୍ୟ ଅନ ଲାଇନରେ ଉପଲବ୍ଧ ହେଲେ ଲୋକେ କେଉଁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ତାହା ଜାଣିବା ସହଜ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱବ୍ୟାଙ୍କ ଏକ ସର୍ଭେ ରିପୋର୍ଟ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା ଭାରତର ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ପାଖରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନାହିଁ। ଏହାପରେ ଡିସେମ୍ବର ୨୧ ତାରିଖରେ ତଦନ୍ତ କରି ରିପୋର୍ଟ ଦେବାକୁ ହାଇକୋର୍ଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଏପରି ନିର୍ଦ୍ଦେଶ ପାଇବା ପରେ ଜିଲ୍ଲାର ସମସ୍ତ ସିଡିଏମଓ ସମସ୍ତ ଡାକ୍ତରଙ୍କୁ ଚିହ୍ନଟ କରି ସେମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଯାଞ୍ଚ ପ୍ରକ୍ରିୟା କେବେ ଶେଷ ହେବ ସେ ନେଇ ସ୍ବାସ୍ଥ୍ୟ ବିଭାଗ କୋର୍ଟରେ କୌଣସି ସମୟସୀମା ନିର୍ଦ୍ଧାରଣ କରିନଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
Comments are closed.