Latest Odisha News

BREAKING NEWS

ଏନ୍‌ଏଚ୍‌-୫୫ ରାସ୍ତା କାମ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟ ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ)କୁ ଏନ୍‌ଏଚ୍‌-୫୫ର କଟକ-ଅନୁଗୋଳ ଅଂଶର ୧୧୨ କିଲୋମିଟର ରାସ୍ତାକୁ ଚାରିଥାକିଆ କରିବା ପାଇଁ ଦୁଇ ମାସର ସମୟ ଦେଇଛନ୍ତି। ବୁଧବାର ଦିନ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଅରିନ୍ଦମ ସିହ୍ନାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ସମୟାନୁସାରେ ଶେଷ ହେବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ଏନଏଚଏଆଇ ପୂର୍ବରୁ ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଅଣଦେଖା କାରଣରୁ ସେମାନେ ସମୟ ସୀମା ପାଳନ କରିପାରି ନାହାନ୍ତି। ତେଣୁ ସେମାନେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ଦୁଇ ମାସ ମଧ୍ୟରେ କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଏଚଆଇ ମାର୍ଚ୍ଚ ୧୮ ତାରିଖରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ମେ’ ମାସ ସୁଦ୍ଧା ଏହି ରାସ୍ତାର ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଯିବ।

୨୦୧୭-୧୮ରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଦୁଇ ବର୍ଷ ଛ’ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଥିଲା। କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ, ଜଙ୍ଗଲ ଅନୁମୋଦନ, କୋଭିଡ୍‌-୧୯ ମହାମାରୀ ଏବଂ ଠିକାଦାରଙ୍କ ଆର୍ଥିକ ସଙ୍କଟ ଯୋଗୁଁ ଏହାର ସମୟସୀମା ବାରମ୍ବାର ପରିବର୍ତ୍ତନ ହୋଇଛି।

୨୦୨୨ରେ ସାମାଜିକ କର୍ମୀ ମନୋରଞ୍ଜନ ସାହୁ ଏହି ରାସ୍ତାର ପୁନର୍ଗଠନ ଓ ଉନ୍ନୟନ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହାର ପ୍ରତିକ୍ରିୟାରେ ନ୍ୟାୟାଳୟ ଏହି ପ୍ରକଳ୍ପକୁ ନେଇ ଗୁରୁତ୍ୱ ଦେଇ ଆସୁଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ କହିଛନ୍ତି ଯେ, ଏନ୍‌ଏଚ୍‌-୫୫ର ଅନୁଗୋଳ-କଟକ ଅଂଶର ଚାରିପଟିଆ କାର୍ଯ୍ୟ ଏପ୍ରିଲ ସୁଦ୍ଧା ଶେଷ ହେବ। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରଶ୍ନର ଉତ୍ତରରେ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, କଟକ-ଅନୁଗୋଳ-ସମ୍ବଲପୁର ଅଂଶକୁ ତିନୋଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇ କାମ ଚାଲିଛି। ପ୍ୟାକେଜ୍‌-୧ (କଟକରୁ ଢେଙ୍କାନାଳ) ମାର୍ଚ୍ଚ ଶେଷ ସୁଦ୍ଧା ଏବଂ ପ୍ୟାକେଜ୍‌-୨ (ଢେଙ୍କାନାଳ ଅନୁଗୋଳ) ଏପ୍ରିଲ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପରେ ବିଳମ୍ବକୁ ସ୍ୱୀକାର କରି ସେ ଏହାର ଶୀଘ୍ର ସମାପ୍ତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.