Latest Odisha News

BREAKING NEWS

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଆଶ୍ବସ୍ତି । ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଯୌନ ଶୋଷଣ ମାମଲାରେ ସୋମବାର ଏକ ସ୍ପେଶାଲ କୋର୍ଟ ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ରେବନ୍ନାଙ୍କ ପୁଅ ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ନେଇ ଅନେକ ମାମଲା ଦାଖଲ ହୋଇଛି । ବର୍ତ୍ତମାନ ପ୍ରଜ୍ୱଳ ରେବନ୍ନା ଦେଶ ବାହାରକୁ ଫେରାର ହୋଇଯାଇଛନ୍ତି । ପୋଲିସର ନୋଟିସ ସତ୍ତ୍ବେ ମଧ୍ୟ ପ୍ରଜ୍ୱଳ ଫେରାର ଅଛନ୍ତି ।

ଏହା ପୂର୍ବରୁ ଜେଡିଏସ ନେତା ତଥା ବିଧାୟକ ଏଚଡି ରେବନ୍ନାଙ୍କୁ ଏକ ଅପହରଣ ମାମଲାରେ ମେ ୧୩ ତାରିଖରେ ସ୍ପେଶାଲ କୋର୍ଟ ଜାମିନ ପ୍ରଦାନ କରିଥିଲେ । ହେଲେ ତାଙ୍କ ନାଁରେ ଯୌନ ଉତ୍ପୀଡନ ମାମଲା ଥିବାରୁ ସେ ଜେଲରୁ ବାହାରିପାରି ନଥିଲେ । ତାଙ୍କୁ ୫ ଲକ୍ଷ ଟଙ୍କା ବଣ୍ଡ ଆଧାରରେ ଜାମିନ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଏଚଡି ରେବନ୍ନାଙ୍କୁ ମେ ୪ ତାରିଖରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଜଣେ ମହିଳାଙ୍କ ପୁଅ ମାମଲା ରୁଜୁ କରିଥିଲେ । ଅଭିଯୋଗ ମୁତାବକ ତାଙ୍କ ମାଆ ରେବନ୍ନାଙ୍କ ଘରେ କାମ କରୁଥିଲେ । ହେଲେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ । ମହିଳା ଜଣଙ୍କ ନିଖୋଜ ହେବା ପୂର୍ବରୁ ତାଙ୍କ ମୋବାଇଲକୁ ଏକ ଯୌନ ଶୋଷଣର ଭିଡିଓ ଏଚଡି ରେବନ୍ନା ପଠାଇଥିବା ମହିଳାଙ୍କ ପୁଅ ଅଭିଯୋଗ କରିଥିଲେ ।

ପରେ ଏହି ମାମଲାରେ ରେବନ୍ନାଙ୍କୁ ଗିରଫ କରାଯାଇଥିଲା । ଯାହାର ଯାଞ୍ଚ ପ୍ରକ୍ରିୟା ଏବେ ଚାଲିଛି ।

Comments are closed.