Latest Odisha News

ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି-ମୃତ ଗୋବିନ୍ଦଙ୍କ ପତ୍ନୀ

ବଲାଙ୍ଗିର: ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ ତାଙ୍କ କଥାରେ ସେମିତି କିଛି ସୂଚନା ପାଇ ପାରି ନ ଥିଲେ ଗୋବିନ୍ଦଙ୍କ ପତ୍ନୀ । ହେଲେ ଆଜି ସକାଳୁ ତାଙ୍କର ମୃତ୍ୟୁ ଖବର ସାରା ପରିବାରକୁ ସ୍ତବ୍ଧ କରି ଦେଇଛି ।
ଜେଲ ଭିତରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କର ପରିବାର ଲୋକେ । ଗୋବିନ୍ଦଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ୱାମୀଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି । ସେ ଏଥିପାଇଁ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଯିଏ ନେଇଥିଲା ସେ ତାଙ୍କୁ ସୁରକ୍ଷା ଦେବା କଥା ।

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆଜି ଜେଲ ଭିତରେ ମୃତ୍ୟୁ ଘଟିଛି ।  ଗୋବିନ୍ଦ ସାହୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଆଭିଯୁକ୍ତ ଓ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଥିଲେ । ଆଜି ସକାଳୁ ପ୍ରାୟ ୯ ଟା ସମୟରେ ଶୌଚ ପାଇଁ ଯାଇଥିଲେ । ଜେଲ ଭିତରେ ଥିବା ଏକ ଗଛରେ ପିନ୍ଧା ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି ।

ଖବର ପାଇ ଜେଲ କର୍ତ୍ତୃପକ୍ଷ ଗୋବିନ୍ଦ ସାହୁଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରି ମାଇନା ପରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା । ଜେଲରେ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ଘଟଣା ଚପାଇବାକୁ ତାଙ୍କର ହତ୍ୟା କରଯାଇଛି ଏନେଇ ଅନେକ ସନ୍ଦେହ ଜାତ ହୋଇଛି । ତେବେ ଖବର ପାଇବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଘଟଣା ସ୍ଥଳକୁ ଗସ୍ତ କରିଛନ୍ତି ତଦନ୍ତ କରିଛନ୍ତି ।

ମମିତା ମେହେର ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମେତ ଅନେକ ରାଜନେତା ଓ ବିଧାୟକଙ୍କ ହାତ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା  । ତେଣୁ ଏହା ଆତ୍ମହତ୍ୟା ନୁହଁ ଏକ ସୁଚିତିନ୍ତ ହତ୍ୟାକାଣ୍ଡ ବୋଲି ଗୋବିନ୍ଦଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।

ଜେଲ ଡିଆଜି ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ବଲାଙ୍ଗୀରରେ ପହଞ୍ଚିଛନ୍ତି । ପୋଷ୍ଟ ମର୍ଟମ ପରେ ଏହି   ସମ୍ବେଦନଶୀଳ ଘଟଣାର ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି । ତେବେ ଘଟଣାର ଗମ୍ଭୀରତାକୁ ନେଇ ଜିଲ୍ଲା ଓ ରାଜ୍ୟର ରାଜନୀତିକ ମହଲରେ ବିଭିନ୍ନ ମତ ପ୍ରକାଶ ପାଉଛି । ବିରୋଧି କଂଗ୍ରେସ ଓ ବିଜେପି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ପୋଲିସ ମହାନିର୍ଦେଶକ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି ।

Leave A Reply

Your email address will not be published.