Latest Odisha News

BREAKING NEWS

‘୨୪ ରେ ଜିତିଲେ ମୋଦି ଆଉ ଛାଡିବେନି କ୍ଷମତା’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମ ଆଦମୀ ପାର୍ଟି ଏକ ବଡ଼ ମନ୍ତବ୍ୟ ରଖିଛି। ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ଆପ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛି।

ବିରୋଧୀ ଦଳଗୁଡିକ ଏକାଠି ହୋଇ ଯଦି ୨୦୨୪ ଲୋକସଭା ନିର୍ବାଚନ ନ ଲଢନ୍ତି ତେବେ ଆଗକୁ ଦେଶରେ ଆଉ ନିର୍ବାଚନ ହୋଇ ନ ପାରେ ବୋଲି କହିଛି ଆପ।

ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ରେ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ସେ ସମ୍ବିଧାନକୁ ବଦଳାଇବା ସହ ନିଜକୁ ଦେଶର ରାଜା ଭାବେ ଘୋଷଣା କରିପାରନ୍ତି ବୋଲି ବଡ଼ ଅଭିଯୋଗ ଆଣିଛନ୍ତି ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ।

ଯଦି ୨୦୨୪ ରେ ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ସମ୍ବିଧାନ ବଦଳାଇଦେବା ସହ ନିଜକୁ ଆଜୀବନ ରାଜା ଭାବେ ଘୋଷଣା କରିଦେବେ ବୋଲି ବଡ଼ ଅଭିଯୋଗ ଆଣିଛନ୍ତି ସୌରଭ। ଆସନ୍ତା ୨୩ ତାରିଖରେ ବିହାରର ପାଟନାରେ ଦେଶର ବିରୋଧୀ ଦଲଗୁଡିକର ବୈଠକ ହେବାକୁ ଯାଉଛି।

ରାଜନୈତିକ ଦୃଷ୍ଟିକୋଣରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ମୋଦିଙ୍କୁ ନେଇ ଆପ ନେତାଙ୍କ ଏଭଳି ମନ୍ତବ୍ୟ ଦେଶର ରାଜନୀତିକୁ ଚଳଚଞ୍ଚଳ କରିଛି। ଦେଶର ବିରୋଧୀ ଦଳ ଗୁଡିକ ଯଦି ଏକାଠି ନ ଲଢନ୍ତି ତେବେ ଆଗକୁ ଆଉ ନିର୍ବାଚନ ହେବ ନାହିଁ ବୋଲି ସେ କହିଛନ୍ତି।

ବିରୋଧୀଙ୍କୁ ଦମନ କରିବା ପାଇଁ ବିଜେପି ସବୁ ଶକ୍ତି ଖଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ସିବିଆଇ, ଇଡି ଓ ଆଇଟିକୁ ବ୍ୟବହାର କରି ସେମାନଙ୍କୁ ଜେଲ ପଠାଇ ଦିଆଯାଉଛି। ତେଣୁ ୨୦୨୪ ରେ ଯଦି ମୋଦି ପୁଣିଥରେ ବିଜୟ ଲାଭ କରି ପ୍ରଧାନମନ୍ତ୍ରୀ ହେଲେ ତେବେ ଦେଶର ଗଣତନ୍ତ୍ର ଲୋପ ପାଇବା ସହ ମୋଦି ନିଜକୁ ରାଜା ଘୋଷଣା କରିଦେବେ ବୋଲି ସେ କହିଛନ୍ତି।

ସେପଟେ ବିଜେପି ଭରଦ୍ୱାଜଙ୍କ ଏହି ବୟାନକୁ ପିଲାଳିଆ ବୋଲି କହିଛି। ଏଭଳି ପିଲାଳିଆ ଅଭିଯୋଗ କରିବା ବନ୍ଦ କରିବା ସହ ଆପ ଯେଉଁ ଦଳକୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରୁଥିଲା ସେମାନଙ୍କ ସହ ହାତ ମିଳାଇବାକୁ କାହିଁକି ଆଗଭର ବୋଲି ଉତ୍ତର ଦେବାକୁ ଦାବି କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚଦେବା।

ଏ ପ୍ରସଙ୍ଗକୁ ନେଇ ଏବେ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଛି। ଗୋଟିଏ ପରେ ବିରୋଧୀ ଏକତା ପାଇଁ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ସେପଟେ ଭରଦ୍ୱାଜଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଛି।

Leave A Reply

Your email address will not be published.