Latest Odisha News

BREAKING NEWS

ଚୀନର ସିଇଓ ମଙ୍କଙ୍କ ନାଁରେ ସଂଗୀନ ଅଭିଯୋଗ

ନୂଆଦିଲ୍ଲୀ: ବିବାଦ ଘେରରେ ବୌଦ୍ଧ ଆସ୍ଥାର ପ୍ରମୁଖ କେନ୍ଦ୍ର ଚୀନର ଶାଓଲିନ ମନ୍ଦିରର ପ୍ରମୁଖ ମଠାଧୀଶ ସି ୟୋଙ୍ଗଜିନ । ତାଙ୍କ ବିରୋଧରେ ଦୁର୍ନୀତି, ମହିଳାଙ୍କ ସହ ଅନୈତିକ ସଂପର୍କ ଓ ସନ୍ତାନ ଜନ୍ମ କରିବା ଭଳି ସଂଗୀନ ଅଭିଯୋଗ ଆସିଛି । ସେ ଅପରାଧିକ ଗତିବିଧିରେ ସାମିଲ ଥିବା ନେଇ ସନ୍ଦେହ କରାଯାଉଥିବା ଚୀନର ସରକାରୀ ଖବରକାଗଜ ଚାଇନା ଡେଲିରେ ପ୍ରକାଶ ପାଇଛି । ମଠାଧୀଶ ସି ୟୋଙ୍ଗଜିନ ଲମ୍ବା ସମୟ ଧରି ଅନେକ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିବା ସହ ସନ୍ତାନ ଜନ୍ମ କରାଇ ବୌଦ୍ଧ ଆସ୍ଥା ଓ ସିଦ୍ଧାନ୍ତର ଉଲ୍ଲଂଘନ କରିଛନ୍ତି । ତାଙ୍କୁ ନେଇ ମିଳିତ ଯାଞ୍ଚ ଚାଲିଛି ।

ବୌଦ୍ଧ ଆସ୍ଥାର କେନ୍ଦ୍ର ଶାଓଲିନ୍ ମନ୍ଦିର

ମଧ୍ୟ ଚୀନର ହେନାନ ପ୍ରାନ୍ତରେ ଏକ ପର୍ବତ ଶୃଙ୍ଖଳାରେ ରହିଛି ୧୫ଶହ ବର୍ଷ ପୁରୁଣା ଶାଓଲିନ ମନ୍ଦିର । ପ୍ରତିବର୍ଷ ଏଠାକୁ ସାରା ବିଶ୍ବରୁ ଅନେକ ଶ୍ରଦ୍ଧାଳୁ ଆସନ୍ତି । ଏହା କେବଳ ବୌଦ୍ଧ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଏଠାରେ ମାର୍ସଲ ଆର୍ଟର ମଧ୍ୟ ବିକାଶ କରାଯାଇଛି । ଶାଓଲିନ ମନ୍ଦିରର ଭିକ୍ଷୁ ମାର୍ସଲ ଆର୍ଟର ଦକ୍ଷ ଖେଳାଳି ହୋଇଥାନ୍ତି । ଶାରିରୀକ ଶକ୍ତି ଓ ମାନସିକ ଅନୁଶାସନ ଉପରେ କେନ୍ଦ୍ରିତ ଶାଓଲିନ ମନ୍ଦିରର ମାର୍ସଲ ଆର୍ଟ ଆତ୍ମରକ୍ଷା, ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ବ ଦିଏ । ଶାଓଲିନ କୁଙ୍ଗ ଫୁ ବିଶ୍ବ ମାର୍ସଲ ଆର୍ଟ ଓ ସିନେମାକୁ ବି ପ୍ରଭାବିତ କରିଛି ।

ସ୍କାନରରେ ସିଇଓ ମଙ୍କ

ବିବାଦ ଘେରକୁ ଆସିଥିବା ମଠାଧୀଶ ସି ୟୋଙ୍ଗଜିନ ୧୯୯୯ ମସିହାରୁ ଶାଓଲିନ ମନ୍ଦିରର ମଠାଧୀଶ ରହିଛନ୍ତି । ସଂସ୍ଥାନକୁ ବିଶ୍ବସ୍ତରର ବ୍ରାଣ୍ଡରେ ପରିବର୍ତ୍ତନ କରିବା ଉଦ୍ୟମ ପାଇଁ ସି ୟୋଙ୍ଗଜିନଙ୍କୁ ସିଇଓ ମଙ୍କ ବି କୁହାଯାଏ । ତାଙ୍କ ନେତୃତ୍ବରେ ମନ୍ଦିର ପକ୍ଷରୁ ଚୀନ ବାହାରେ ସ୍କୁଲ ଖୋଲିବା ଆରମ୍ଭ ହୋଇଥିଲା । ଏହାସହ ଭିକ୍ଷୁଙ୍କ ଏକ ଭ୍ରମଣକାରୀ ଦଳ କରାଯାଇଥିଲା, ସେମାନେ ଶାଓଲିନ କୁଙ୍ଗ ଫୁ ଶୋ ପରିବେଷଣ କରୁଥିଲେ । ପୂର୍ବରୁ ମଧ୍ୟ ୨୦୧୫ରେ ମଠାଧୀଶ ସି ୟୋଙ୍ଗଜିନଙ୍କ ବିରୋଧରେ ମହିଳାଙ୍କ ସହ ଅନୈତିକ ସଂପର୍କ ଓ ମନ୍ଦିର ସଂପତ୍ତି ହେରଫେର କରିବା ନେଇ ଯାଞ୍ଚ କରାଯାଇଥିଲା । ତାଙ୍କୁ ବିଭିନ୍ନ କମ୍ପାନୀ ଓ ସ୍ଥାନୀୟ ସରକାରଙ୍କଠାରୁ ମହଙ୍ଗା ଉପହାର ମଧ୍ୟ ମିଳିଥିଲା । ଏଥିରେ ଏସୟୁଭି ଓ ସୁନା ସୂତା ଥିବା ବସ୍ତ୍ର ମଧ୍ୟ ରହିଥିଲା । ସେତେବେଳେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଖାରଜ କରାଯାଇଥିଲା । ୨୦୧୫ରେ ଶାଓଲିନ ମନ୍ଦିର ପରିସରରେ ହୋଟେଲ୍, କୁଙ୍ଗ ଫୁ ସ୍କୁଲ ଓ ଗଲଫ କୋର୍ଟ ନିର୍ମାଣ ନେଇ ୩୦କୋଟି ଡଲାର ଖର୍ଚ୍ଚକୁ ନେଇ ଚର୍ଚ୍ଚା ହୋଇଥିଲା ।

ବିବାଦ ଘେରରେ ଥାଇଲାଣ୍ଡ ମନ୍ଦିର

କିଛି ଦିନ ପୂର୍ବରୁ ଥାଇଲାଣ୍ଡର ଏକ ବୈଦ୍ଧ ମନ୍ଦିର ମଧ୍ୟ ବିବାଦ ଘେରକୁ ଆସିଥିଲା । ଥାଇଲାଣ୍ଡର ଓ୍ବାଟ୍ ତ୍ରି ଥୋତ୍ସାଥେପ ମନ୍ଦିରର ଭିକ୍ଷୁ ଯୌନ ଉତ୍ପୀଡନ ଓ ବ୍ଲକମେଲିଂ ଅଭିଯୋଗ ସହ ଯୁଝୁଛନ୍ତି । ଏହି ମାମଲାରେ ଓ୍ବିଲାଓ୍ବାନ ଏମ୍ସାଓ୍ବଟ ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ୯ଜଣ ବରିଷ୍ଠ ବୌଦ୍ଧ ଭିକ୍ଷୁଙ୍କ ସହ ସଂପର୍କ ରଖିଥିଲେ । ୮୦ହଜାରରୁ ଅଧିକ ଫଟୋ ଓ ଭିଡିଓ ଆଧାରରେ ସେମାନଙ୍କୁ ବ୍ଲାକମେଲିଂ କରି ଶହେ କୋଟିରୁ ଅଧିକ ଟଙ୍କା ବଟି ଆଦାୟ କରିଥିଲେ । ମାମଲା ସାମନାକୁ ଆସିବା ପରେ ୯ଜଣ ଭିକ୍ଷୁଙ୍କୁ ମଠରୁ ନିଷ୍କାସିତ କରାଯାଇଛି । ଏହି ମାମଲା ଥାଇଲ୍ୟାଣ୍ଡର ବୌଦ୍ଧ ଆସ୍ଥାକୁ ବଡ଼ ଝଟକା ହୋଇଥିବା ବେଳେ ଚୀନର ମଠାଧୀଶ ସି ୟୋଙ୍ଗଜିନଙ୍କ ମାମଲା ଚର୍ଚ୍ଚା ବଢାଇଛି ।

Comments are closed.