ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ୧୫ ଜଣ ଛାତ୍ର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବଣାଇ ବିଇଓ ସୁନୀଲ ମୁଣ୍ଡୁ । ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଛନ୍ତି ବିଇଓ ।
ଗତ ୨୮ ତାରିଖ ରାତିରେ ୧୫ ଜଣ ଛାତ୍ର ଏକସାଙ୍ଗରେ ଫେରାର ହୋଇଯାଇଥିଲେ । ପରେ ଛାତ୍ରମାନେ ମିଳିବା ପରେ ପଚରାଉଚରା କରାଯିବାରୁ ସେମାନଙ୍କ ପଳାଇଯିବା କାରଣ ସ୍ପଷ୍ଟ ହୋଇଥିଲା । ତଦନ୍ତ ପରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ରୋଷେୟା ଅମିତ କୁମାର ପାହୁଲେଙ୍କ ବ୍ୟବହାର ଭଲ ଲାଗୁ ନ ଥିଲା । ତେଣୁ ପଳାଇ ଯାଇଥିଲେ ବୋଲି ଛାତ୍ରମାନେ କହିଥିଲେ ।
ଘଟଣାରେ ବିଇଓ ସୁନୀଲ ମୁଣ୍ଡୁ କହିଛନ୍ତି ଯେ, ଛାତ୍ରାବାସଟି ଆଦିବାସୀ ଉନ୍ନୟନ ବିଭାଗର ହୋଇଥିବାରୁ ବିଭାଗକୁ ତଦନ୍ତ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।
ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ଥିବା ଆଦିବାସୀ ଛାତ୍ରାବାସରେ ସମୁଦାୟ ୩୭ ଜଣ ଛାତ୍ର ରହୁଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ର ଗତ ୨୮ ତାରିଖ ରାତିରେ ଫେରାର ହୋଇଯାଇଥିଲେ । ଫେରାର ହୋଇଥିବା ଛାତ୍ରଙ୍କ ମଧ୍ୟରେ ତୃତୀୟ, ଚତୁର୍ଥ ଓ ପଞ୍ଚମଶ୍ରେଣୀର ଛାତ୍ର ଥିବା ଜଣାପଡିଛି । ତେବେ ପାଟ୍ରୋଲିଂ କରୁଥିବା ସମୟରେ ସମସ୍ତ ଫେରାର ଛାତ୍ରଙ୍କୁ ଉଦ୍ଧାର କରି ବିଦ୍ୟାଳୟର ଶିକ୍ଷକଙ୍କ ଜିମାରେ ଛାଡ଼ିଥିଲା ପୋଲିସ ।
Comments are closed.