Latest Odisha News

BREAKING NEWS

ସକାଳ ନା ସନ୍ଧ୍ୟା ? କେତେବେଳେ କ୍ୟାନସର ଚିକିତ୍ସା କରିବା ଆବଶ୍ୟକ

ନୂଆଦିଲ୍ଲୀ : ଯେକୌଣସି ରୋଗର ଚିକିତ୍ସା ପାଇଁ ଲୋକମାନେ ନିଜ ସୁବିଧା ଅନୁସାରେ ଆପଏଣ୍ଟମେଣ୍ଟ ନେଇଥାନ୍ତି। ସମସ୍ତେ ଭାବନ୍ତି ଯେ ଯେକୌଣସି ସମୟରେ ଭଲ ଚିକିତ୍ସା କଲେ ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ କେବଳ କର୍କଟ ରୋଗର ଚିକିତ୍ସା ନୁହେଁ, ବରଂ ତାହାର ସମୟ ମଧ୍ୟ ଠିକ୍ ହେବା ଆବଶ୍ୟକ, ଯାହା ଏହି ମାରାତ୍ମକ ରୋଗରୁ ଅଧିକ ଉପଶମ ଦେଇପାରେ। ଚୀନ୍‌ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚିକିତ୍ସାର ସମୟ ମଧ୍ୟ ରୋଗୀର ସୁସ୍ଥତା ଏବଂ ଆୟୁଷ ଉପରେ ପ୍ରଭାବ ପକାଇପାରେ। ଏହି ଅଧ୍ୟୟନରେ କର୍କଟ ଚିକିତ୍ସାର ସର୍ବୋତ୍ତମ ସମୟ ମଧ୍ୟ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିନେବା।

ଟାଇମ୍‌ସ ମ୍ୟାଗାଜିନ୍‌ର ରିପୋର୍ଟ ଅନୁସାରେ, ଆମେରିକାନ୍ ସୋସାଇଟି ଅଫ୍ କ୍ଲିନିକାଲ ଅଙ୍କୋଲୋଜି (ASCO) ସମ୍ମିଳନୀରେ ଉପସ୍ଥାପିତ ଏହି ଅଧ୍ୟୟନରେ କୁହାଯାଇଛି ଯେ ଯେଉଁ ରୋଗୀମାନେ ଅପରାହ୍ନ ୩ଟା ପୂର୍ବରୁ ଇମ୍ୟୁନୋଥେରାପି ଓ କେମୋଥେରାପି ଗ୍ରହଣ କରନ୍ତି, ସେମାନଙ୍କ ଅବସ୍ଥା ସନ୍ଧ୍ୟା କିମ୍ବା ରାତିରେ ଚିକିତ୍ସା ନେଉଥିବା ରୋଗୀଙ୍କ ତୁଳନାରେ ଅଧିକ ଉନ୍ନତ ରହୁଛି। ଗବେଷକମାନଙ୍କ ମତରେ, ଏହାର କାରଣ ହେଉଛି ଶରୀରର ପ୍ରାକୃତିକ ସର୍କାଡିଆନ୍ ରିଦମ। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦିନସାରା ଭିନ୍ନ ଭିନ୍ନ ଭାବେ କାର୍ଯ୍ୟ କରେ। ତେଣୁ ଯଦି ଇମ୍ୟୁନୋଥେରାପି ସକାଳେ ଦିଆଯାଏ, ତେବେ ତାହାର ପ୍ରଭାବ ଅଧିକ ଉନ୍ନତ ହୋଇପାରେ।
ଏହା ପୂର୍ବରୁ ମଧ୍ୟ ଅନେକ ଆନ୍ତର୍ଜାତୀୟ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି ଯେ ସକାଳେ ଚିକିତ୍ସା ଗ୍ରହଣ କରୁଥିବା ରୋଗୀଙ୍କ ସୁସ୍ଥତା ଅଧିକ ଭଲ ହୋଇଥାଏ। ଏହି ଅଧ୍ୟୟନରେ ଉନ୍ନତ ପର୍ଯ୍ୟାୟରେ ଥିବା ଫୁସ୍‌ଫୁସ୍ କର୍କଟର ୨୧୦ ଜଣ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କୁ ସକାଳେ ଏବଂ କେତେକଙ୍କୁ ଅପରାହ୍ନ ପରେ ଚିକିତ୍ସା ଦିଆଯାଇଥିଲା। ୧୮ ମାସ ପର୍ଯ୍ୟନ୍ତ ଏମାନଙ୍କ ଉପରେ ନଜର ରଖାଯାଇ ଜଣାପଡ଼ିଥିଲା ଯେ ଯେଉଁ ରୋଗୀମାନେ ସକାଳେ ଚିକିତ୍ସା ପାଇଥିଲେ, ସେମାନଙ୍କ ଅବସ୍ଥା ଅଧିକ ଉନ୍ନତ ରହିଥିଲା ଏବଂ ସେମାନଙ୍କ କର୍କଟ ବୃଦ୍ଧିର ଗତି କମ୍ ହୋଇଥିଲା। ସେହିପରି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିର ପ୍ରତିକ୍ରିୟା ମଧ୍ୟ ଅଧିକ ଦୃଢ଼ ଥିଲା। ଏହାକୁ ଆଧାର କରି ଅନୁମାନ କରାଯାଉଛି ଯେ କର୍କଟର ଚିକିତ୍ସା ସକାଳେ କରାଇବା ଅଧିକ ଲାଭଦାୟକ ହୋଇପାରେ।

ଏହା ପୂର୍ବରୁ ମଧ୍ୟ ଏକ ଗବେଷଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ଫ୍ରାନ୍ସ ଓ ଚୀନ୍‌ର ୭୧୩ ଜଣ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେହି ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଯେଉଁ କର୍କଟ ରୋଗୀମାନେ ସକାଳ ୧୧:୩୦ ପୂର୍ବରୁ ଚିକିତ୍ସା ଗ୍ରହଣ କରନ୍ତି, ସେମାନେ ହାରାହାରି ୩୩ ମାସ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ଅନ୍ୟପକ୍ଷରେ, ଯେଉଁ ରୋଗୀମାନେ ଅପରାହ୍ନ ପରେ ଚିକିତ୍ସା ନେଇଥାନ୍ତି, ସେମାନଙ୍କ ହାରାହାରି ଆୟୁଷ ୨୦ ମାସ ରହିଥିଲା। ଅର୍ଥାତ୍ କେବଳ ସମୟର ପାର୍ଥକ୍ୟ ହିଁ ରୋଗୀର ଜୀବନରେ ଏକ ବର୍ଷ ପର୍ଯ୍ୟନ୍ତ ଅନ୍ତର ଆଣିପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଏହି ଅଧ୍ୟୟନର ପୁଷ୍ଟି ଅଧିକ ଜନସଂଖ୍ୟା ଉପରେ ପୁନରାବୃତ୍ତି କରାଯିବା ଜରୁରୀ। ଯଦି ଆଗାମୀ ଦିନରେ ମଧ୍ୟ ଏପରି ଫଳାଫଳ ମିଳେ, ତେବେ ଡାକ୍ତର ଓ ହସ୍ପିଟାଲମାନଙ୍କୁ ଚିକିତ୍ସାର ସମୟ ନିର୍ଦ୍ଧାରଣ କରିବା ସମୟରେ ଏହି ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯଦି କେବଳ ସମୟ ପରିବର୍ତ୍ତନ କରି ରୋଗୀର ଜୀବନ ଦୀର୍ଘାୟୁ କରାଯାଇପାରେ, ତେବେ ଏହା ଗବେଷକମାନଙ୍କ ପାଇଁ ଏକ ବଡ଼ ସଫଳତା ହେବ।

Comments are closed.