Latest Odisha News

ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ: ନିଜ ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ

ପୁରୀ: ଆଜି ଓଡିଶାରେ ବିଜେପି ସରକାରଙ୍କ ଶାସନ ଭାର ଗ୍ରହଣ କରିବାର ୧୦୦ ଦିନ ପୁରିଛି । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ଆୟୋଜିତ ହୋଇଛି ‘ପ୍ରଗତିର ନୂତନ ସୂର୍ଯ୍ୟୋଦୟ’ ସମାରୋହ । ଏହି ଅବସରରେ ଓଡିଶା ବିକାଶ ମେଳାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସୁସଜ୍ଜିତ ଓ ସୂଚନା ସମ୍ବଳିତ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ ନୀଳାଚଳ ଅର୍ବାନ୍ ହାଟରେ ଉଦଘାଟିତ ହୋଇଯାଇଛି ।

ପ୍ରଦର୍ଶନୀରେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଜନହିତକର ସୂଚନା ପ୍ରଦର୍ଶିତ କରାଯାଇଛି । ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା, ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ, ଡେଙ୍ଗୁ ଓ ଡାଇରିଆ ନିରାକରଣ, ନବଜାତ ଶିଶୁର ଯତ୍ନ, ରକ୍ତ ଦାନ, ନିଦାନ, ସହାୟ ଏବଂ ଯୋଗର ଉପକାରିତା ଏହିପରି ଅନେକ ଉପାଦିୟ ସୂଚନା ଏଥିରେ ପ୍ରଦର୍ଶିତ କରାଯାଇଛି ।

ଟେଲିଭିଜନ ଓ ଡିଜିଟାଲ ମାଧ୍ୟମରେ ମଧ୍ୟ ଅନେକ ସୂଚନାଧର୍ମୀ ଭିଡ଼ିଓ ପ୍ରଦର୍ଶନ କରାଯାଉଛି । ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀଟି ଚାରି ଦିନଧରି ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆଶୁ ଆରୋଗ୍ୟ କେନ୍ଦ୍ର ମଧ୍ୟ ଏହି ସ୍ଥାନରେ ଖୋଲାଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡଃ ଲଲାଟେନ୍ଦୁ ମିଶ୍ର, ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ, ବିତ୍ତ ଅଧିକାରୀ ହିମାଦ୍ରୀ ସାମଲ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଟି. ନାରାୟଣ ରାଓଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ଏହି ପ୍ରଦର୍ଶନୀରେ ଉପସ୍ଥିତ ରହି ଜନସାଧାରଣଙ୍କୁ ଓଡିଶା ସରକାରଙ୍କ ବିବିଧ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଅବଗତ କରିଥିଲେ ।

ନିଜେ ସଚେତନ ହୋଇ ଆଖପାଖର ଲୋକମାନଙ୍କୁ ସଚେତନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ ମାଧ୍ୟମରେ ପାଖାପାଖି ପାଞ୍ଚ ହଜାର ଜନସାଧାରଣଙ୍କୁ ସଚେତନ କରାଯାଇପାରିଛି ।

Leave A Reply

Your email address will not be published.