Latest Odisha News

କରୋନା ସଂକ୍ରମଣ ବୃଦ୍ଧି ଏବଂ ଦେଶରେ JN.1 ଭାରିଆଣ୍ଟକୁ ଦେଖି ରାଜ୍ୟଗୁଡ଼ିକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ନିକଟରେ କେତେକ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କେରଳରେ ଚାରି ଜଣ ଏବଂ ୟୁପିରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ JN.1 ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଆଉ ସୋମବାର ସମସ୍ତ ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ କହିଛି। ଏହି ଆଧାରରେ କର୍ଣ୍ଣାଟକ ସରକାର ମାସ୍କ ବ୍ୟବହାର କରିବାକୁ କହିଛନ୍ତି।

ଏହି ସତର୍କତାରେ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ ନିୟମିତ ଭାବେ ଇନଫ୍ଲୁଏଞ୍ଜା ଭଳି ରୋଗ (ILIs) ଏବଂ ସାଂଘାତିକ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ (SARIs) ସମ୍ପର୍କରେ ଜିଲ୍ଲାଓ୍ୱାରୀ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୁଧାଂଶ ପନ୍ତ କୋଭିଡ ସ୍ଥିତି ଉପରେ ନିରନ୍ତର ନଜର ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀର ସଫଳ ପରିଚାଳନା ଏବଂ ସ୍ୱଳ୍ପ ସଂକ୍ରମଣ ହାର ବଜାୟ ରଖିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗମୂଳକ ପ୍ରୟାସର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।

ଆଗାମୀ ପର୍ବପର୍ବାଣୀ ସମୟରେ କରୋନା ସଂକ୍ରମଣର ଆଶଙ୍କାକୁ କମ୍ କରିବା ପାଇଁ ରାଜ୍ୟଗୁଡ଼ିକ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ରାଜ୍ୟଗୁଡ଼ିକୁ ଆରଟି-ପିସିଆର ପରୀକ୍ଷଣ ସଂଖ୍ୟା ବୃଦ୍ଧି କରିବା ଏବଂ ଭାରତୀୟ ସାର୍ସ ସିଓଭି-2 ଜେନୋମିକ୍ସ କନସୋର୍ଟିୟମ (ଆଇଏନଏସଏକୋଜି) ପରୀକ୍ଷାଗାରକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଜିଟିଭ୍ ନମୁନା ପଠାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଯାହାଦ୍ୱାରା ନୂଆ ପ୍ରକାରର ଯଦି କିଛି ଭାରିଆଣ୍ଟ ଥାଏ ତାହାକୁ ଠିକ୍ ସମୟରେ ଚିହ୍ନଟ କରାଯାଇପାରିବ।

କେରଳର ଜଣେ ମହିଳାଙ୍କଠାରେ BA.2.86 ଭ୍ୟାରିଆଣ୍ଟ୍ ସହ ଘନିଷ୍ଠ ଭାବେ ଜଡ଼ିତ କରୋନା ଭାଇରସର JN.1 ସବ୍ ଭ୍ୟାରିଆଣ୍ଟ୍ ଚିହ୍ନଟ ହୋଇଥିଲା। ଭାରତରେ JN.1 ସବ୍ ଭେରିଏଣ୍ଟର ଏହା ପ୍ରଥମ ମାମଲା। ଥିରୁଅନନ୍ତପୁରମ୍ରୁ ଆସିଥିବା ଜଣେ କୋଭିଡ୍ ପଜିଟିଭ୍ ରୋଗୀଙ୍କଠାରେ JN.1 ସବ ଭାରିଆଣ୍ଟ ଥିବା ସରକାର ଡିସେମ୍ବର 8ରେ ରୁଟିନ୍ ସର୍ଭିଲାନ୍ସ ଜରିଆରେ ନିଶ୍ଚିତ କରିଥିଲେ।

Comments are closed.