Latest Odisha News

BREAKING NEWS

ଜେଲରେ ବିଗିଡ଼ିଲା ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ଥା, ଜେଲ୍‌ରୁ ପଠାଗଲା ହସ୍ପିଟାଲ

କେନ୍ଦ୍ରାପଡ଼ା: ବାରିମୂଳ ଜେଲ ଯାଇଥିବା ତିଖିରୀ ପଞ୍ଚାୟତର ଚର୍ଚ୍ଚିତ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଜେଲ୍ ମଧ୍ୟରେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ସେଠାରେ ତାଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ବାରିମୂଳ ଜେଲ୍‌ର ଅଧିକାରୀ ସୁନୀଲ ମହାପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଚାମେଲିଙ୍କ ଶାରୀରିକ ସ୍ଥିତିକୁ ଦେଖି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମେଡିକାଲ ପଠାଯାଇଛି। ହସ୍ପିଟାଲରେ ସମସ୍ତ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହେବା ପରେ ତାଙ୍କୁ ପୁଣି ଜେଲ୍‌କୁ ଫେରାଇ ଅଣାଯିବ।

ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ହୋଇଥିବା ତୀବ୍ର ବିବାଦ ଓ ହଙ୍ଗାମା ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫ କରିଥିଲା। ଏହାପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଜଣେ ମହିଳା ଜନପ୍ରତିନିଧିଙ୍କୁ ଗିରଫ କରାଯିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ରାଜନୀତିରେ ପୂର୍ବରୁ ହିଁ ଝଡ଼ ସୃଷ୍ଟି ହୋଇଥିବା ବେଳେ, ଏବେ ଜେଲରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଖବର ସ୍ଥାନୀୟ ଅଞ୍ଚଳରେ ସମର୍ଥକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

Comments are closed.