Latest Odisha News

BREAKING NEWS

ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର; ଶବବାହକ ଗାଡ଼ି ମିଳିଲାନି,ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ଆଣିଲେ ଅସହାୟ ସ୍ୱାମୀ

ଝାରସୁଗୁଡ଼ା:ଶବ ବାହକ ଗାଡ଼ି ନ ମିଳିବାରୁ ବାଇକରେ ପତ୍ନୀର ଶବ ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ଏକ ହୃଦୟ ବିଦାରକ ଘଟଣା । ଝାରସୁଗୁଡ଼ା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ଶନିବାର ଭୋର୍ ସମୟରେ ତାଙ୍କୁ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ଘରକୁ ନେବା ପାଇଁ ଶବବାହକ ଗାଡ଼ି ତଥା ମହାପ୍ରୟାଣ ଗାଡ଼ି ମିଳିନଥିଲା ବୋଲି ମୃତକଙ୍କ ସ୍ବାମୀ କହିଛନ୍ତି । ବହୁ ଚେଷ୍ଟା ପରେ ମଧ୍ୟ କୌଣସି ବ୍ୟବସ୍ଥା ନ ହେବାରୁ ନରେଶ ଜଣେ ପଡ଼ୋଶୀଙ୍କ ବାଇକ୍‌ ଯୋଗେ ପତ୍ନୀଙ୍କ ମୃତଦେହକୁ ନେଇ ଗ୍ରାମକୁ ଫେରିଥିଲେ ।

ମୃତକଙ୍କ ସ୍ବାମୀ ନରେଶ ଛତ୍ରିଆ କହିଛନ୍ତି, “ମୋତେ ଆମ୍ବୁଲାନ୍ସ କିମ୍ବା ଶବବାହକ ଗାଡ଼ି କିଛି ମିଳିଲାନି । ବାଧ୍ୟ ହୋଇ ବାଇକ୍‌ରେ ମୋ ପତ୍ନୀଙ୍କ ମୃତଦେହକୁ ଘରକୁ ନେଇଥିଲି ।”

ଏହି ଦୃଶ୍ୟ କେବଳ ଜଣେ ଗରିବ ପରିବାରର ଅସହାୟତାକୁ ନୁହେଁ, ବରଂ ପ୍ରଶାସନିକ ବ୍ୟବସ୍ଥାର ଅବହେଳାକୁ ମଧ୍ୟ ସାମ୍ନାକୁ ଆଣିଛି । ଏହି ଘଟଣା ସ୍ପଷ୍ଟ କରୁଛି ଯେ, ମୌଳିକ ସ୍ୱାସ୍ଥ୍ୟ ସେବା ଓ ମୃତଦେହ ପରିବହନ ଭଳି ଅତ୍ୟାବଶ୍ୟକ ସୁବିଧା ଅନେକ ଅଞ୍ଚଳରେ ଏବେ ମଧ୍ୟ ଅପହଞ୍ଚ।

ଅନ୍ୟପକ୍ଷେ ଝାରସୁଗୁଡ଼ା ସିଡିଏମ୍ଓ ଶକ୍ତି କହିଛନ୍ତି, “ଏକ ଆକସ୍ମିକ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ପରିବାର ସଦସ୍ୟଙ୍କୁ ମୃତଦେହ ବ୍ୟବଚ୍ଛେଦ ପାଇଁ କହିଥିଲେ । କିନ୍ତୁ ପରିବାର ଲୋକ  ମନା କରିଦେଇ ଏକ ଅଣ୍ଡରଟେକିଂ ଲେଖି ସେଠାରୁ ଚାଲିଯାଇଥିଲେ । ପ୍ରୋଟୋକଲ୍ ଅନୁଯାୟୀ ଚିକିତ୍ସା କରୁଥିବା ଡାକ୍ତର ପୋଲିସକୁ ଅବଗତ କରିବା ଆବଶ୍ୟକ ଥିଲା । ମାତ୍ର ଏହା ହୋଇନାହିଁ ।” ଆହୁରି ସେ କହିଛନ୍ତି ଯେ, ନିଜେ ସେଠାକୁ ଯାଇ ତଦନ୍ତ କରିବେ ଏବଂ ଏଥିରେ ଯଦି କୌଣସି ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଦୋଷୀ ଥାଆନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.