ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ. ଭି. ରମନ୍ନା କହିଛନ୍ତି, ଇଂରାଜୀ ବ୍ୟତୀତ ଦେଶର ଆଞ୍ଚଳିକ ଭାଷାରେ ଶୁଣାଣି ହେବା ଦରକାର। ବିଜ୍ଞାନ ଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ଦେଶରେ ଜାତୀୟ ଭାଷାକୁ ନେଇ ଯେତେବେଳେ ତର୍କ ଚାଲିଛି ଏହି ସମୟରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ବଢାଇବାକୁ ଯାଇ ସିଜେଆଇ କୋର୍ଟରେ ଶୁଣାଣି ବେଳେ ଆଞ୍ଚଳିକ ଭାଷା ବ୍ୟବହାର ହେବା ଦରକାର ବୋଲି କହିଥିଲେ। ଏହି ସମୟରେ ବୈଠକରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ହାଇକୋର୍ଟର ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଧାନ ବିଚାରପତିଙ୍କ ଦାବିକୁ ସମର୍ଥନ କରି କହିଛନ୍ତି ଯେ ସାମାଜିକ ନ୍ୟାୟ ପାଇଁ କେବଳ ନ୍ୟାୟର ମାପକାଠିକୁ ଯିବାର ଆବଶ୍ୟକତା ନାହିଁ, ଭାଷା ମଧ୍ୟ ଏକ ପ୍ରତିବନ୍ଧକ, କୋର୍ଟରେ ସ୍ଥାନୀୟ ଭାଷାର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ଏହା ଦ୍ୱାରା ସାଧାରଣ ଲୋକଙ୍କର ନ୍ୟାୟ ପ୍ରତି ଆସ୍ଥା ବଢ଼ିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ବୈଷୟିକ ଓ ମେଡିକାଲ ଶିକ୍ଷା ସ୍ଥାନୀୟ ଭାଷାରେ କାହିଁକି ହେବ ନାହିଁ। ଆଇନ ଶିକ୍ଷା ଅନ୍ତର୍ଜାତିକ ମାନର ହେବା ସହ ଏ ଦିଗରେ ନୂଆ ଦିଗ ବିକଶିତ ହେବା ଆବଶ୍ୟକ ବୋଲି ମୋଦୀ କହିଥିଲେ । ସେ କହିଛନ୍ତି, ନ୍ୟାୟ ହିଁ ସୁଶାସନର ମୂଳଦୁଆ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ଭଲ କଥା ଯେ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଏହି ପ୍ରସଙ୍ଗ ଉଠିଲା । କିନ୍ତୁ ଏହା କାର୍ଯ୍ୟକାରୀ ହେବାକୁ ସମୟ ଲାଗିବ । କାରଣ ଏହି ଆବେଦନ ଦାଖଲ କରିବାଠାରୁ ଆରମ୍ଭ କରି ରାୟ ପ୍ରକାଶ ପାଇବା ଯାଏ ଏହା ଏକ ଜଟିଳ ମାମଲା । ତେଣୁ ଲୋକେ କିଭଳି ଶ୍ରୀଘ୍ର ନ୍ୟାୟ ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
Comments are closed.