Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣାର ଦୁଃଖଦ ଖବର: ବୁଦାମୂଳେ ଛିଟିକି ପଡିଥିଲେ, ୪୫ ଘଣ୍ଟା ପରେ ହେଲେ ଉଦ୍ଧାର

ବାଲେଶ୍ୱର:ବାହାନଗା ରେଳ ଦୁର୍ଘଟଣାର ୩ ଦିନ ବିତିଗଲାଣି । ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ଧୀରେ ଧୀରେ ସ୍ୱାଭାବିକ ହେଉଛି ପରିସ୍ଥିତି । ତା ଭିତରୁ ସାମ୍ନାକୁ ଆସୁଛି ହୃଦୟ ଭିଜାଇ ଦେବା ପରି ଘଟଣା । କେତେ ପରିବାର ଉଜାଡି ଦେଲା ଏ ଲୌହଦାନବ ! ଏ ଦୁର୍ଘଟଣା କେତେ ବାପା-ମା’ଙ୍କ କୋଳ ଶୂନ୍ୟ କରିଦେଲା, କେତେ ସନ୍ତାନଙ୍କ ମଥା ଉପରୁ ଦୂରେଇ ଦେଲା ବାପା-ମା’ଙ୍କ ଆଶୀର୍ବାଦର ହାତ !

ଏପରି ସ୍ଥିତିରେ ସାମ୍ନାକୁ  ଆସିଛି ଚକିତ କରିଦେବା ପରି ଏକ ଘଟଣା । ରେଳ ଦୁର୍ଘଟଣାର ୪୫ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି ଜଣେ ଯୁବକ ।  ଯୁବକଙ୍କୁ କାର୍ଯ୍ୟରତ ରେଳବାଇ କର୍ମଚାରୀମାନେ ଉଦ୍ଧାର କରି  ଆମ୍ବୁଲାନ୍ସ ରେ ସୋର ଡାକ୍ତରଖାନାକୁ ପଠାଇଛନ୍ତି। ବାହାନଗା ଲେବୁଲ କ୍ରସିଂ ଠାରୁ ୨୦୦ ମିଟର ଦୂରରେ ଅଚେତ ଅବସ୍ଥାରେ ଏକ ବୁଦା ମୂଳେ ପଡିଥିଲେ ଯୁବକ ଜଣକ । ରେଳବାଇ ପୋଲିସ ସର୍ଚ୍ଚ ଅପରେଶନବେଳେ ଯୁବକଙ୍କୁ ଉଦ୍ଧାର କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଚେତା ଫେରିଥିଲା ହେଲେ ସେ କିଛି ଜାଣି ପାରୁନାହାନ୍ତି ।  ତେଣୁ ଆହତ ଯୁବକ ଜଣକ କିଏ ଏବଂ କେଉଁଠୁ ଆସୁଥିଲେ ଜଣାପଡୁନି । କାରଣ ଯୁବକ ଜଣକ  ଠିକରେ କଥାକହି ପାରୁନାହାନ୍ତି। ତେବେ ତାଙ୍କ ଘର ଆସାମରେ ଏବଂ ସେ  ଟ୍ରେନରେ ଯାଉଥିଲେ ବୋଲି ଜଣାପଡିଛି ।  ଯୁବକ ଜଣଙ୍କ ଆସାମର ବୋଲି କୁହାଯାଉଛି।

ସବୁଠାରୁ ଦୁଃଖର କଥା,  ଦୁର୍ଘଟଣା ପରେ ତାଙ୍କ ପକେଟରେ ଥିବା ମୋବାଇଲ ଓ ପର୍ସ ସମେତ ବ୍ୟାଗ୍‌କୁ କେହି ଲୁଟି ନେଇଛି। ହେଲେ ତାଙ୍କୁ ସେମିତି ମରଣ ମୁହଁରେ ଛାଡି ଦେଇ ଯାଇଛି । ଯଦି ପୋଲିସର ସର୍ଚ୍ଚ ଅପରେଶନରେ ତାଙ୍କୁ ଠାବ କରାଯାଇ ପାରି ନ ଥାନ୍ତା ହୁଏତ ତାଙ୍କ ଜୀବନ ବଞ୍ଚାଇବା ମୁସ୍କୁଲ ହୋଇପଡିଥାନ୍ତା !

Comments are closed.