Latest Odisha News

୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ଟି ସ୍ଥାନର ତାପମାତ୍ରା, ଫେରିଲା କି ହିଟ୍ ଓ୍ବେଭ୍?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆଶଙ୍କା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସୋମବାର ଦିନ ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରହିଛି।

ରାଉରକେଲାରେ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୪୧.୧, ସୁନ୍ଦରଗଡ଼ରେ ୪୧, ବଲାଙ୍ଗୀର ଓ ଜଗତସିଂହପୁରରେ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରର ତାପମାତ୍ରା ଯଥାକ୍ରମେ ୩୯.୫ ଓ ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ଏହା ପରେ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ।

ଆଗାମୀ କିଛି ଦିନ ଯାଏ ବିଭିନ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.