Latest Odisha News

ଜଳୁଛି ପଶ୍ଚିମ ଓଡ଼ିଶା, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ଜନଜୀବନ । ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ଉପକୂଳରେ ଆକତମାକତା କଲାଣି ଗୁଳୁଗୁଳି । ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଏହି ଜିଲ୍ଲା ଗୁଡ଼ିକରେ ଦିନ ୧୧ଟାରୁ ଦିନ ୩ଟା ମଧ୍ୟରେ ଯଥା ସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ କୁହାଯାଇଛି । ଉତ୍ତର-ପଶ୍ଚିମ/ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି । ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨ରୁ ୩ ଦିନ ରହିବ । ଆଗାମୀ  ୨୪ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।

ଅନ୍ୟପଟେ ଉପକୂଳ ଓଡ଼ିଶାରେ ଦିନ ତମାମ ୬୦%ରୁ ଅଧିକ ଆଦ୍ରତା ରହୁଛି । ବାୟୁମଣ୍ଡଳର ୨ କିମି ଉପରେ ଉତ୍ତର-ପଶ୍ଚିମ ଦିଗରୁ ରହୁଥିବା ଶୁଷ୍କ ବାୟୁର ପ୍ରାଧାନ୍ୟ ଯୋଗୁ ଉଚ୍ଚ ଆଦ୍ରତା ସତ୍ତ୍ୱେ ଗତ ୭ରୁ ୮ ଦିନ ଧରି ବାୟୁମଣ୍ଡଳର ସ୍ଥିରତା ବୃଦ୍ଧି ଯୋଗୁ କାଳବୈଶାଖୀ ବର୍ଷାର ପରିମାଣ  କମିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।

ଗତକାଲି ୪୫.୨ ଡ଼ିଗ୍ରୀ ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ୯ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୯ ସହର ରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲା ।

Comments are closed.