ଭୁବନେଶ୍ୱର: ଆଜିବି ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଗ୍ରୀଷ୍ମ ଲହରୀ । ତାତିରୁ ମିଳୁନି ତ୍ରାହି । ଆଜି ବି ଗ୍ରୀଷ୍ମକୋପ ଜାରି ରହିଥିବା ବେଳେ ପାରଦ ଛୁଇଁପାରେ ୪୫ ଡିଗ୍ରୀ । ଆଜି ପାଇଁ ୬ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଏଥିସହ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି ।
ଗତ ୨୪ ଘଣ୍ଟାରେ ୧୮ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା ।ବାରିପଦାରେ ୪୪.୫ ଡିଗ୍ରୀ ସେଲସିୟସ୍ ରହିଥିଲା ତାପମାତ୍ରା । ଏଥିସହ ୪୪ ଡିଗ୍ରୀ ପାର କରିଛି ନୂଆପଡ଼ା ଜିଲ୍ଲା । ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୫ଟି ସହର ମଧ୍ୟରେ ଭାରତରୁ ୬ଟି ରହିଛନ୍ତି । ବାରିପଦା ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲିଠାରୁ ପାଗ ସାମାନ୍ୟ ବଦଳିପାରେ । କାଳବୈଶାଖୀ ପ୍ରଭାବରେ ୨୧ ତାରିଖରୁ ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା କାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ।
Comments are closed.